Odiapua.com

ଭାରତୀୟ ପୋଷ୍ଟାଲ ଏମ୍ପେ୍ଲାୟିଜ୍ ଆସୋସିଏସନର ଦ୍ୱିବାର୍ଷିକ ଜିଲ୍ଲା ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଭାରତୀୟ ପୋଷ୍ଟାଲ ଏମ୍ପେ୍ଲାୟିଜ୍ ଆସୋସିଏସନ (ବିପିଇଏ)ର ଦ୍ୱିବାର୍ଷିକ ଜିଲ୍ଲା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ଜିଲ୍ଲା ମୁଖ୍ୟ ଡାକଘର ପରିସରରେ ଅନୁଷ୍ଠିତ ଏହି ସମ୍ମିଳନୀ ସଭାରେ ଅବସଯରପ୍ରାପ୍ତ ପୋଷ୍ଟମାଷ୍ଟ ରବୀନ୍ଦ୍ର ନାଥ ମହାକୁଡ଼ ପୌରୋହିତ୍ୟ କରିଥିଲେ। ବିପିଇଏ ଗ୍ରେଡ ‘ସି’ ର ସମ୍ପାଦକ ଶୋଭନ ମହାନ୍ତି ଆଭିମୁଖ୍ୟ ଓ ବିବରଣୀ ଉପସ୍ଥାପନ କରିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଡାକ ଅଧୀକ୍ଷକ ଭଦ୍ରକ ନକୁଳ ବେହେରା ଯୋଗ ଦେଇ ଡାକ କର୍ମଚାରୀଙ୍କ ମଧ୍ୟରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ସରକାର ନେଉଥିବା ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଅନ୍ୟତମ ଅତିଥି ବିପିଇଏ ସର୍କଲ ସମ୍ପାଦକ ରାଜକିଶୋର ମହାପାତ୍ର ଅସୁବିଧା ଗୁଡ଼ିକ ଦୃଷ୍ଟି ଆକର୍ଷଣ କରିଥିଲେ।

ଡାକ ବିଭାଗରେ କାର୍ଯ୍ୟରତ ବହୁ କର୍ମଚାରୀଙ୍କ ଚାକିରିରେ ରହିଥିବା ଅସମାନତା ଦୂରୀକରଣ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ବରେଣ୍ୟ ଅତିଥି ଜିଡିଏସ୍ ସର୍କଲ ସଭାପତି ହେମନ୍ତ କୁମାର ରାୟ ଯୋଗ ଦେଇ ଏହି ସର୍କଲର କାର୍ଯ୍ୟାବଳୀ ଅତ୍ୟନ୍ତ ପ୍ରଶଂସନୀୟ ଏବଂ ଏହା ସମଗ୍ର ଓଡ଼ିଶାରେ ଦ୍ୱିତୀୟ ସ୍ଥାନରେ ରହିଥିବା ସୂଚନା ଦେଇଥିଲେ। ଅତିଥି ଓଡ଼ିଶା ଆଶା ସଂଘର ରାଜ୍ୟ ନେତୃତ୍ୱ ମୁକ୍ତିକାନ୍ତ ସାହୁ ଏବଂ ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ପରେଶ ନାଥ ଧଳ ଯୋଗ ଦେଇ ଭାରତୀୟ ମଜଦୂର ସଂଘ ଏବଂ ବିପିଇଏ ମିଳିତ ଭାବେ କିପରି ସଂଗଠନକୁ ଆଗକୁ ନେବେ ଏବଂ ଏହାର କଳେବର ବୃଦ୍ଧି ଦିଗରେ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ପୋଷ୍ଟାଲ କର୍ମଚାରୀ ଧୀରେନ୍ଦ୍ର କୁମାର ଜେନା ଏବଂ ଉମେଶ ଚନ୍ଦ୍ର କରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆଗାମୀ ୨ ବର୍ଷ ପାଇଁ ସଂଯଘର ନୂତନ ର୍କମକର୍ତ୍ତା ଚୟନ କରାଯାଇଥିଲା। ବିପିଇଏ ଗ୍ରେଡ଼ ‘ସି’ର ସଭାପତି ଭାବେ ପ୍ରିୟବ୍ରତ ଦ୍ୱିବେଦୀ, ସମ୍ପାଦକ ଶୋଭନ କୁମାର ମହାନ୍ତି, ଜିଡ଼ିଏସ୍ ସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ର, ସମ୍ପାଦକ ଦେବାଶିଷ ଦାସ, ପୋଷ୍ଟମ୍ୟାନ ଓ ଏମ୍‌ଟିଏସ୍ ସଂଘର ସଭାପତି ଶିବପ୍ରସାଦ ଦାସ, ସମ୍ପାଦକ ଭାବେ ଶଶିକାନ୍ତ ଗିରିଙ୍କୁ ଚୟନ କରାଯାଇଥିଲା। ଶେଷରେ ପ୍ରିୟବ୍ରତ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।