Odiapua.com

ଭାରତୀୟ ଚିକିତ୍ସକ ସଂଘ ଭଦ୍ରକ ଶାଖାର ପ୍ରତିବାଦ ସଭା

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଚିକିତ୍ସକ ସଂଘ ଆଇଏମ୍‌ଏ ଭଦ୍ରକ ଶାଖାର ଏକ ପ୍ରତିବାଦ ସଭା ଡା. ରବିନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଭଦ୍ରକ ‘ଗୀତା ଭବନ’ ଠାରେ କୋଭିଡ଼ କଟକଣାରେ ସାମାଜିକ ଦୂରତା ରକ୍ଷା କରି ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ ପ୍ରାରମ୍ଭିକ ସୂଚନା ଦେବା ସହିତ ଭାରତର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାରର ଶାରିରୀକ ଓ ମାନସିକ ନିର୍ଯାତନାକୁ ନେଇ ଉଦ୍‌ବେଗ ପ୍ରକଟ କରିବା ସହିତ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତାବ ଆଗତ କରିଥିଲେ । ବର୍ତ୍ତମାନ ଦେଶ ମହାମାରୀ କରୋନାରେ ଆକ୍ରାନ୍ତ ଥିବା ବେଳେ ଡାକ୍ତରମାନେ ନିଜ ଜୀବନ ଓ ପରିବାରକୁ ଉତ୍ସର୍ଗ କରି ରୋଗୀଙ୍କ ସେବାରେ ବ୍ୟସ୍ତ ଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଆଇନ କାନୁନକୁ ବେଖାତିର କରି ଛୋଟ ଛୋଟ କଥାରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ମହାମାରୀରୁ ରକ୍ଷା ପାଇବା ପାଇଁ ଅଳ୍ପ ସଂଖ୍ୟକ ଡାକ୍ତରଙ୍କୁ ନେଇ ସରକାର ଉପଯୁକ୍ତ ସେବା ଯୋଗାଇବା ପାଇଁ ପ୍ରୟାସ କରୁଥିବା ବେଳେ ଡାକ୍ତରମାନଙ୍କ ପ୍ରତି ଏତାଦୃଶ ବ୍ୟବହାର ସେମାନଙ୍କୁ ମାନସିକ ସ୍ତରରେ ଆଘାତ ଦେବା ସାଙ୍ଗକୁ ନିଜ କାର୍ଯ୍ୟ ସୂଚାରୁ ରୂପେ ସମ୍ପନ୍ନ କରିବାରେ ବ୍ୟାଘାତ ସୃଷ୍ଟି କରୁଛି । ଏପରି କାର୍ଯ୍ୟର ସ୍ଥାୟୀ ସମାଧାନ ଓ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ପାଇଁ ଭଦ୍ରକ ଶାଖା ପକ୍ଷରୁ ଦାବି କରାଯାଇଛି । ଏ ନେଇ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରତିବାଦ ସଭାରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସ, ଡା. ଝସକେତନ ମହାନ୍ତି, ଡା. ଶତୃଘ୍ନ ହାତୀ, ଡା. ପ୍ରଦିପ କୁମାର ନାୟକ, ଡା. ଅଧର ନାୟକ, ଡା. ସନ୍ତୋଷ ଜେନା, ଡା. ଦୀପକ ଜେନା, ଡା. ସୁଶାନ୍ତ ସାମନ୍ତ, ଡା. ରଞ୍ଜିତ ଖଟୁଆ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେବା ସହିତ ଯଦି ସରକାର ଦାବିକୁ ଉପେକ୍ଷା କରନ୍ତି ତେବେ ସଂଘ ତୀବ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ ।