Odiapua.com

ଭାରତବର୍ଷ ବିଶ୍ୱର ଗୁରୁ ହେବ, ବିଦ୍ୟାର୍ଥି ବିକାଶମଞ୍ଚ ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳନ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟାର୍ଥୀ ବିକାଶ ମଞ୍ଚ, ଭଦ୍ରକ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ସ୍ଥାନୀୟ ବାଗୁରାଇ ଆଦିବାସୀ କଲୋନୀରେ ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ ସକାଳ ସମୟରେ ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା, ସଫେଇ ଓ କଲୋନୀର ଲୋକମାନଙ୍କୁ ନେଇ ପରିବେଶ ସୁରକ୍ଷା ସଚେତନତା କରାଯାଇଥିଲା। ଅନ୍ନ, ବସ୍ତ୍ର, ଶୀତବସ୍ତ୍ର ବଣ୍ଟନ ସହ ନୂତନ ଧାରାରେ ସଂସ୍କାର କେନ୍ଦ୍ରର ଉଦଘାଟନ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଉତିଷ୍ଠିତ ପତ୍ରିକାର ସମ୍ପାଦକ, ନିତିଦିନ ଖବର କାଗଜର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ମନୋଜ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଭାରତବର୍ଷ ବିଶ୍ୱର ଗୁରୁ ହେବ। ବିବେକାନନ୍ଦ କହିଥିଲେ ଧର୍ମମତ ଉପରେ ରହି ରାଷ୍ଟ୍ରର ସେବା କର। ସ୍ୱାମୀ ବିବେକାନନ୍ଦ ତ୍ୟାଗ ଓ ସେବାର ପ୍ରତୀକ ଥିଲେ, ସେ ଜଣେ ଦିବ୍ୟଦ୍ରଷ୍ଟା ଥିଲେ, ଛାତ୍ର ଛାତ୍ରୀ ମାନଙ୍କର ସତ୍ ଚରିତ୍ର ରହିଲେ, ଭାରତ ବର୍ଷ ନିଶ୍ଚୟ ବିଶ୍ୱଗୁରୁ ଭାବେ ପରିଗଣିତ ହେବ। ଆଜିର ଦିନରେ ମହାପୁରୁଷଙ୍କ ନାମକୁ ସ୍ମରଣ କରିବା ପାଇଁ ବିଦ୍ୟାର୍ଥୀ ବିକାଶ ମଞ୍ଚ ଏକ ନୂତନ ଜାଗରଣ ସୃଷ୍ଟି କରିଛି। ଉପସ୍ଥିତ ଥିବା କୁନି କୁନି ପିଲା ମାନେ ମଧ୍ୟ ବିବେକାନନ୍ଦଙ୍କ ଭଳି ନିଶ୍ଚୟ ହୋଇପାରିବେ। ବିଦ୍ୟାର୍ଥୀ ବିକାଶ ମଞ୍ଚର ଆଜିର ଏଭଳି ମହତ୍ କାର୍ଯ୍ୟକୁ ମୁଖ୍ୟ ଅତିଥି ଭୁୟସୀ ପ୍ରଶଂସା କରିଥିଲେ।

ମୁଖ୍ୟବକ୍ତା ଭାବେ ଡ. ବ୍ରଜ ମୋହନ ମିଶ୍ର ଯୋଗଦେଇ ଆତ୍ମ ବିଶ୍ୱାସର ପ୍ରତୀକ ସ୍ୱାମୀ ବିବେକାନନ୍ଦଙ୍କ ପଥକୁ ଅନୁସରଣ କରିବାକୁ କହିଥିଲେ। ଆଜି ଏମିତି ସମୟ ଆସିଯାଇଛି ଦିନରେ ଲଣ୍ଠନ ଧରି ଭଲ ମଣିଷ ଖୋଜା ଚାଲିଛି। ପିଲାମାନେ ତମେ ଚାହିଁଲେ ଜଣେ ଜଣେ ବିବେକାନନ୍ଦଙ୍କ ପରି ହୋଇପାରିବ। ମଞ୍ଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ. ଦେବେନ୍ଦ୍ର ନାଥ ରାଉତ ମଞ୍ଚର ଆଗାମୀ କାର୍ଯଧାରା ଉପରେ ନିଜର ମତ ରଖିଥିଲେ। ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ସଭା ପରିଚାଳନା କରିବା ସହ ମଞ୍ଚ ପୁର୍ନବାର ଆଦିବାସୀ କଲୋନୀରେ ଦୈନିକ ଯୋଗ, ଶିକ୍ଷା, ଖେଳକୁଦ ଓ ସଚେତନତା କାର୍ଯ୍ୟ ରଖିବ ବୋଲି କହିବା ସହ ଏଥିପାଇଁ ସଂଯୋଜକ ଭାବେ ଦେବୀକିଙ୍କର ପାଣିଗ୍ରାହୀ, ଗୁରୁଜୀ ଭାବେ ବର୍ଜୁ ବାଗେ, ରଜନୀକାନ୍ତ ବିହାରୀଙ୍କୁ ଦାୟିତ୍ୱ ଦେଲେ। ଏହି ଅବସରରେ ଭଦ୍ରକ ରୋଟାରୀ କ୍ଲବ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ନାରାୟଣ ବିଶ୍ୱାଳଙ୍କ ପକ୍ଷରୁ ସ୍କୁଲ ପିଲାମାନଙ୍କୁ ପୋଷାକ ବିତରଣ କରାଯାଇଥିଲା। ଯୋଗଗୁରୁ ସୁରେନ୍ଦ୍ର ଦାସ ସମସ୍ତଙ୍କୁ ଯୋଗର ଉପକାରିତା ସମ୍ପର୍କରେ ସୂଚାଇଥିଲେ। ଆଦିବାସୀ କଲୋନୀର ସମସ୍ତେ ଶିକ୍ଷା ଲାଭ ନକରିବା ପର୍ଯ୍ୟନ୍ତ ଆମ ମଞ୍ଚ ଆପଣଙ୍କ ନିକଟରେ ଠିଆ ହେବ, ସମସ୍ତେ ଶିକ୍ଷିତ ହେଲେ ଯାଇ ଏ ସମାଜ ଆଗକୁ ଯାଇପାରିବ ବୋଲି ଉପଦେଷ୍ଟା ଡ. ରାଧାରାଣୀ ମହାପାତ୍ର ବକ୍ତବ୍ୟରେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶୁଭେଚ୍ଛୁ ଅନିଲ ଦେ, ପ୍ରଦୀପ ଦାସ, ପ୍ରବୀର ଦତ୍ତ, ରାଜୁ ବିହାରୀ, ସାନୁ ପଣ୍ଡା, ସୁଧାଂଶୁ ଶେଖର ପଣ୍ଡା ଉପସ୍ଥିତ ଥିଲେ। ସମ୍ପାଦକ ସୁଦାମ ଭୂଇଁ ବିଦ୍ୟାର୍ଥୀ ବିକାଶ ମଞ୍ଚ ପୂର୍ବରୁ କରୁଥିବା ସମସ୍ତ କାର୍ଯ୍ୟକ୍ରମ କିପରି ପୁନର୍ବାର ହେବ ସେ ନେଇ ଚେଷ୍ଟା ଜାରି ରହିବ କହିଥିଲା ବେଳେ ଉପଦେଷ୍ଟା ଅତୁଲ ଦେ ଧନ୍ୟବାଦ ଅର୍ପଣ କରିଥିଲେ।