Odiapua.com

ଭାରତଛାଡ ଆନ୍ଦୋଳନର ବୀରତ୍ୱ ସଂଗ୍ରାମ ‘ଭଣ୍ଡାରିପୋଖରୀ ଥାନାପୋଡ଼ି’

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୪୨ ମସିହା ‘ଭଣ୍ଡାରିପୋଖରୀ ଥାନାପୋଡି’ର ୮୦ତମ ସ୍ମାରକୀ ଉତ୍ସବ ଆଜି କହରାପୋଖରୀ କ୍ରାନ୍ତୀ ମଇଦାନ ଓ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ୧୯୪୨ ଅଗଷ୍ଟ ୧୭ରେ ସ୍ଥାନୀୟ ସଂଗ୍ରାମୀମାନଙ୍କ ଦ୍ୱାରା ସଂଘଟିତ ହୋଇଥିବା ‘ଭଣ୍ଡାରିପୋଖରୀ ଥାନାପୋଡ଼ି’ ଗୌରବମୟ ଘଟଣା ଭାରତୀୟ ସ୍ୱାଧିନତା ସଂଗ୍ରାମ ଇତିହାସରେ ଅନନ୍ୟ ବୋଲି ମତ ପ୍ରକାଶ କରାଯାଇଛି। କାର୍ତ୍ତିକ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟଅତିଥି, ସ୍ୱାଧିନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ବ୍ରଜକିଶୋର ରାଉତ, ବୈଲୋଚନ ଜେନା, ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପୁଲିସ ଅଧିକ୍ଷକ ଚରଣସିଂ ମୀନା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ବିଧାୟକ ପ୍ରତିନିଧି ପ୍ରୟାସକାନ୍ତି ସାମଲ, ବିଜେପି ନେତା ବଦ୍ରୀନାରାୟଣ ଧଳ, କଂଗ୍ରେସ ନେତା ସୁବ୍ରତ ଦାସ, ଉପଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର, ତହସିଲଦାର ସରୋଜକାନ୍ତ ନାୟକ, ବିଡିଓ ଦେବଦତ୍ତ ଦାଶ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଦକ୍ଷିଣବାଡ ସରପଞ୍ଚ ବର୍ଷାରାଣୀ ଜେନା, ସମିତି ସଭ୍ୟ ବିଷ୍ଣୁଚରଣ ଦାସ, ଥାନାଧିକାରୀ ଅମିତାଭ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରାନ୍ତୀ ମଇଦାନ ଓ ଥାନାପୋଡି ସ୍ମୃତିସ୍ତମ୍ଭର ବିକାଶ ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରାରମ୍ଭରେ କହରାପୋଖରୀସ୍ଥିତ କ୍ରାନ୍ତିମଇଦାନରେ ଜାତୀୟ ପତାକା ଉତ୍ତୋଳନ କରି ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଥାନା ପରିସରରେ ଥିବା ଶହୀଦ ସ୍ମୃତିସ୍ତମ୍ଭ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା ଓ ବାସୁଦେବପୁର ସଂଗ୍ରାମୀଙ୍କ କନ୍ୟା ପାର୍ବତୀ ଦେଇଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସାଂସଦ ପ୍ରତିନିଧି ଲଳିତ ରାଉତ ଧନ୍ୟବାଦ ଦେଇଥିଲେ। ଥାନାର କର୍ମଚାରୀ ଓ ସ୍ମାରକୀ ସମିତି ସଦସ୍ୟମାନେ ଉତ୍ସବ ପରିଚାଳନା କରିଥିଲେ।