Odiapua.com

ଭାଙ୍ଗିଲା ପୌରପାଳିକା ମାର୍କେଟ କମ୍ପେ୍ଲକ୍ସର ୧୧ ଦୋକାନ ଗୃହ

ବାଲେଶ୍ୱର, ୨୪ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ଈନ୍ଦିରାଗାନ୍ଧୀ ମାର୍ଗ ସେଣ୍ଟ୍ରାଲ ସ୍କୁଲ ଛକସ୍ଥିତ ମ୍ୟୁନିସପାଲଟି ମାର୍କେଟ କମ୍ପେ୍ଲକ୍ସର ୧୧ରୁ ଊର୍ଦ୍ଧ୍ୱ ଦୋକାନ ଗୃହର କାନ୍ଥ ପଡ଼ିଯିବାକୁ ନେଇ ଦୋକାନୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏଠାରେ ଥିବା ୪ ଗୋଟି ବ୍ଲକ ମଧ୍ୟରୁ ୧ ନଂ ବ୍ଲକର ୭ନଂରୁ ୧୭ ମଧ୍ୟରେ ୧୧ ଗୋଟି ଦୋକାନ ଗୃହର ପଛପାର୍ଶ୍ୱ କାନ୍ଥ ଗଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଛାତ ଗଳି ପଡ଼ିବା ଭୟରେ ଦୋକାନୀମାନେ ନିଜ ନିଜର ଜିନିଷପତ୍ର ବାହାର କରିଆଣୁଥିବା ଲକ୍ଷ୍ୟ କରାଯାଇଛି। ତେବେ ମାର୍କେଟ କମ୍ପେ୍ଲକ୍ସର ପଛପାର୍ଶ୍ୱ ଭୂତଳ ମାଟି ଦବି ଯିବା ଫଳରେ କାନ୍ଥ ଗଡ଼ି ପଡ଼ିଥିବା ଦୋକାନୀମାନେ କହିଛନ୍ତି। ତତ୍କାଳୀନ ପୌର ଠିକାଦାର ରାସ୍ତାପାଶ୍ୱର୍ରେ ଥିବା ନାଳକୁ ପୋତି ସଙ୍ଗେ ସଙ୍ଗେ ଦୋକାନ ଗୃହ ନିର୍ମାଣ କରିବା ଯୋଗୁଁ ଆଜି ଏଭଳି ଅବସ୍ଥା ଉପୁଜିଥିବା ସେମାନେ ପ୍ରକାଶ କରିଛନ୍ତି। ତେବେ ଦୀର୍ଘଦିନ ପୂର୍ବରୁ ମାଟି ଦବିବା ଆରମ୍ଭ ସହ ଦୋକାନ ଘରଗୁଡ଼ିକରେ ଫାଟ ସୃଷ୍ଟି ହୋଇଥିବା ଦେଖିବା ପରେ ସେମାନେ ତତ୍କାଳୀନ ପୌରପାଳିକା ନିର୍ବାହୀଙ୍କୁ ଜଣାଇଥିଲେ। ମାତ୍ର ସେ କିଛି ନ ବୁଝିବାରୁ ସେତେବେଳର ପୌରପାଳ ଅନୁପ ଦାସଙ୍କୁ ଆପତ୍ତି ଜଣାଇଥିଲେ। ଖୁବଶୀଘ୍ର ମରାମତି କାର୍ଯ୍ୟ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ବି ପରବର୍ତ୍ତୀ ସମୟରେ କିଛି ବି ପଦକ୍ଷେପ ନିଆଯାଇ ନଥିଲା। ୧୯୯୯ ମସିହାରେ ବାଲେଶ୍ୱର ପୌରପାଳିକା ପକ୍ଷରୁ ଏଠାରେ ୪ ଗୋଟି ବ୍ଲକରେ ମୋଟ ୮୦ ଗୋଟି ଦୋକାନ ଗୃହ ନିର୍ମାଣ କରାଯାଇଥିଲା। ଏବେ ଗୋଟିଏ ବ୍ଳକର ୧୧ ଗୋଟି ଦୋକାନ ନଷ୍ଟ ହୋଇଯାଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ କ୍ଷତି ହେବା ନେଇ ଦୋକାନୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। କରୋନା ପାଇଁ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ଚାଲିଥିବା ବେଳେ ପ୍ରତି ସପ୍ତାହର ସଟ ଡାଉନ୍ ଯୋଗୁଁ ସେମାନେ ବହୁ କ୍ଷତି ସହି ଚାଲିଛନ୍ତି। ଏହା ପରେ ଏହି ଦୋକାନ କାନ୍ଥ ଗଡ଼ିପଡ଼ିବା ଯୋଗୁଁ ସେମାନଙ୍କର ଜୀବିକା ପ୍ରତି ବିପଦ ଦେଖାଦେଇଥିବା ବେଳେ ପରିବାର ପ୍ରତିପୋଷଣ କେମିତି ହେବ ତାହାକୁ ନେଇ ଦେକାନୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ସେମାନେ ପୌର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି ପୌରପାଳିକା ପକ୍ଷରୁ କେହି ଜଣେ ହେଲେ ଏଠାକୁ ତଦନ୍ତ ପାଇଁ ଆସିନଥିବା ଦୋକାନୀମାନେ କହିଛନ୍ତି। ଆଗାମୀ ଦିନରେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ସେମାନେ ସୂଚନା ଦେଇଛନ୍ତି।