Odiapua.com

ଭାଗ୍ୟ ବଦଳାଉଛି ଚିଙ୍ଗୁଡି ଚାଷ : ତିହିଡି-ଧାମରା-ଚାନ୍ଦବାଲି ଅଂଚଳରେ ଆର୍ଥିକ ସ୍ଥିତିର ଉନ୍ନତି

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚିଙ୍ଗୁଡି ଚାଷ କରି ଅମିରରୁ ଭିକାରୀ ହୋଇଥିବାବେଳେ ଅନେକ ଫକୀର ମଧ୍ୟ ଅମିର ହୋଇଛନ୍ତି । ଅତି ବ୍ୟୟବହୁଳ ଏହି ଚିଙ୍ଗୁଡି ଚାଷ ମଧ୍ୟ ଅତ୍ୟଧିକ ଲାଭଦାୟକ ହୋଇଛି । ମାତ୍ର ୧୨୦ ଦିନର ଚାଷୀଙ୍କ ଭାଗ୍ୟ ବଦଳାଇ ଦେଉଛି । ତିହିଡି, ଧାମରା, ଚାନ୍ଦବାଲି ଆଦି ଅଂଚଳରେ ଏହି ଚାଷ କରି ଅନେକ ଯୁବକ ଭଲ ରୋଜଗାର କରୁଛନ୍ତି । ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେଉଥିବା ବେଳେ କିଛି ଲୋକ ବି ନିଯୁକ୍ତି ପାଇ ପାରୁଛନ୍ତି । ଚିଙ୍ଗୁଡି ଚାଷରୁ କୋଟିପତି ବନିଥିବା ତିହିଡି ଓ ଚାନ୍ଦବାଲି ଅଂଚଳର ପ୍ରଦୀପ ପଣ୍ଡା, ରଂଜନ ସାହୁ, ଦୀପକ ପରିଡା, ଅଜୟ ଧଳ, ସୁଜେଶ ମଣ୍ଡଳ, ରାମ ଓଝା, ସୁଧୀର ମଣ୍ଡଳଙ୍କ ସମେତ ୧୨ ଜଣ ଚିଙ୍ଗୁଡି ଚାଷୀ ଫରେନ ବୁଲି ଫେରିଛନ୍ତି । ଏହି ଚାଷକୁ ନେଇ ତିହିଡି, ଧାମରା ଓ ଚାନ୍ଦବାଲି ଏରିଆର ଭୌଗୋଳିକ ଚିତ୍ର ମଧ୍ୟ ବଦଳି ଯାଇଛି । ମିଳିଥିବା ସୂଚନା ଅନୁସାରେ ୧୯୯୨ ମସିହାରେ ସର୍ବପ୍ରଥମେ ବାଁଶଡା ପଂଚାୟତ ଛେଡାକ ଗ୍ରାମରେ ଏହି ଚାଷ ହୋଇଥିଲା । ଦେବେନ୍ଦ୍ର ପରିଡା ନାମକ ଜଣେ ଶିକ୍ଷିତ ଯୁବକ ଏହି ଚାଷ ଆରମ୍ଭ କରିଥିଲେ । ୧୯୯୨ ରୁ ୯୭ ମସିହା ପର୍ଯ୍ୟନ୍ତ ଚିଙ୍ଗୁଡି ଚାଷ କରି ସେ ପୁଣି ଚାନ୍ଦବାଲି ଫେରି ଯାଇଥିଲେ । ୯୦ ଦିନ ଅବଧିରେ ମିଠା ପାଣିରେ ସେ ବାଗଦା (ବିଟି) ଚାଷ କରିଥିଲେ । ଦେବେନ୍ଦ୍ରଙ୍କୁ ଅନୁସରଣ କରି ଏଠିକାର କିଛି ଲୋକେ ଏହି ଚାଷ ଆରମ୍ଭ କଲେ । ୧୯୯୭ ମସିହାରୁ ଏହି ଚାଷ ଖୁବ୍ ଦ୍ରୁତଗତିରେ ମାଡି ଚାଲିଲା । ୨୦୦୦ ମସିହା ବେଳକୁ ଏହି ଚାଷ ଜୀବିକାରେ ପରିଣତ ହେଲା । ସେବେ ଠାରୁ ବର୍ଷକୁ ଏହା ଫେବୃୟାରୀରୁ-ଜୁନ୍ ସମର ସିଜିନ୍ ଓ ଜୁଲାଇ-ନଭେମ୍ବର ରେନି ସିଜିନ୍‌ରେ କରାଯାଉଛି । ଚାଷୀମାନେ ଫେବୃୟାରୀ ମାସ ତୃତୀୟ ସପ୍ତାହରେ ଚିଙ୍ଗୁଡି ଯାଆଁଳ ପୋଖରୀରେ ଛାଡୁଛନ୍ତି । ୧ ମାସ ପରେ ଏହି ପୋଖରୀରେ ଚିଙ୍ଗୁଡି ଖାଦ୍ୟ, ରାସାୟନିକ ଔଷଧ, ଭିଟାମିନ୍ ପ୍ରୟୋଗ ହେଉଛି । ଏବେ ଲୁଣା ଜଳରେ ଏହି ଚାଷ ୧୨୦ ଦିନ ଅବଧି ପର୍ଯ୍ୟନ୍ତ ଚାଲୁଛି ।

୧୨୦ ଦିନ ପରେ ବା ତା ପୂର୍ବରୁ ମାଛଧରା ହେଉଛି । ୧ ଏକର ପରିମିତି ବିଶିଷ୍ଟ ଜମିରେ ଏହି ଚାଷ କରିବାକୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ରୁ ୨.୫ ଲକ୍ଷ ଟଙ୍କା ଆବଶ୍ୟକ । ଏହି ଚାଷ ପାଇଁ ଦିନକୁ ୧୮ ରୁ ୨୦ ଘଣ୍ଟା ଡିଜେଲ୍ ଚାଳିତ ପାଣି ପମ୍ପ ଚାଲିଥାଏ । ଆଉ କେତେକ ପୋଖରୀରେ ଏରିଏଟର ମଧ୍ୟ ଦିନ ରାତି ଚାଲିଥାଏ । ଏହି ୧୨୦ ଦିନରେ ଲକ୍ଷାଧିକ ଟଙ୍କା ଲାଭ ବା କ୍ଷତି ହେବାର ସମ୍ଭାବନା ଥିବା ଚିଙ୍ଗୁଡି ଚାଷୀ ରଂଜନ ସାହୁ ଓ ପ୍ରଦୀପ ପଣ୍ଡା କୁହନ୍ତି । ଏହି ଚାଷ ପାଇଁ ତିହିଡି, ପୀରହାଟ, ଧାମରା, ଚାନ୍ଦବାଲି ଏରିଆର ଅଧିକାଂଶ ଲୋକେ ଉପକୃତ ହୋଇଛନ୍ତି । ଏହାକୁ ନେଇ ସେମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇଛି । ଜୀବନ ଧାରଣର ମାନ ବା ଲାଇଫ୍ ଷ୍ଟାଇଲ୍ ପୁରା ବଦଳି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଚିଙ୍ଗୁଡି ଚାଷରୁ ଲକ୍ଷାଧିକ ଟଙ୍କା ଲାଭ ପାଇବା ପରେ ଅନେକ ବ୍ୟକ୍ତି ରାଜନୀତିକୁ ଆସିଛନ୍ତି । ବିଭିନ୍ନ ପଦ ପଦବୀ ବା ଗାଦି ଦଖଲ କରିବାରେ ସେମାନେ ସକ୍ଷମ ହୋଇଥିବା ଯୁବନେତା ପ୍ରଦୀପ ଣ୍ଡା ମତ ଦିଅନ୍ତି । ୨୦୧୪ ମସିହାରୁ ବିଟି ବଦଳରେ ବେନାମୀ ଚାଷ ହେଉଛି । ଯାହାକି ଏହା ଯେପରି ବ୍ୟୟ ବହୁଳ ସେପରି ଲାଭଜନକ ବା କ୍ଷତି ଦାୟକ ବ୍ୟବସାୟ । ଏବେ ଏହି ଚାଷ ପାଇଁ ବର୍ଷର ୮ ମାସ ଶ୍ରମିକଙ୍କୁ କାମ ମିଳିପାରୁଛି । ସେମାନେ ଆଉ ଆଗ ପରି ଦାଦନ ଖଟିବାକୁ ବା କାମ ଖୋଜିବାକୁ ବିଦେଶ ଯାଉନଥିବା ଅଜୟ ରାଉତ କୁହନ୍ତି । ଅପରପକ୍ଷେ ଏହି ଚାଷ ପାଇଁ ଶବ୍ଦ, ବାୟୁମଣ୍ଡଳ ପ୍ରଦ୍ୟୁଷଣ ସହିତ ନଦୀ ବା କେନାଲ ପାଣି ଦୂଷିତ ହେଉଛି ବୋଲି ପରିବେଶବିତ୍‌ମାନେ ମତ ଦିଅନ୍ତି । ଏହି ପୋଖରୀ ପାଖରେ ଥିବା ଜମିରେ ଧାନ ଚାଷ ପ୍ରଭାବିତ ହେଉଛି । କେତେକ କ୍ଷେତ୍ରରେ ଚାଷୀଟେ ନିଜର ହକ୍ ପାଇପାରୁନଥିବା ଅଭିଯୋଗ ହେଉଛି । ସବୁ ପରେ ବି ଏହି ଚାଷ ଏକ ଜୁଆଖେଳ ବା ଭାଗ୍ୟର ଏକ ବଡ ପରୀକ୍ଷା ବୋଲି ବାଲିଗାଁର ଯୁବକ ଜିତେନ୍ଦ୍ର ପାଣି କୁହନ୍ତି ।