Odiapua.com

ଭାଇରାଲ ହେଲା ରଜଗୀତର ରଚୟିତାଙ୍କ ପରିଚୟ

ନୟାଗଡ଼, ୧୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଓଡ଼ିଶାର ପ୍ରତି ଘରେ ଘରେ ଜନ ମାନସରେ ଆଦୃତ ତଥା ରଜପର୍ବର ଲୋକପ୍ରିୟ ଗୀତ ‘ବନସ୍ତେ ଡାକିଲା ଗଜ-ବରଷକେ ଥରେ ଆସିଛି ରଜ ‘ର ରଚୟିତା ହେଉଛନ୍ତି ନୟାଗଡ଼ ମାଟିର ବୋଲି। ଯାହାକି ଏହି ରଚୟିତାଙ୍କ ପ୍ରମାଣ ସହ ପରିଚୟ ମିଳିଲା ପରେ ନୟାଗଡ଼ରେ ମଙ୍ଗଳବାର ରଜ ଉତ୍ସବର ଦ୍ୱିତୀୟ ଦିନରେ ଏହା ଚର୍ଚ୍ଚା ଜୋର ଧରିଛି। ଏପରିକି ରଜଗୀତର ଏକ ଚଟି ବହିରୁ ରଚୟିତାଙ୍କ ପରିଚୟ ମିଳିବା ସହ ସମୁଦାୟ ପୃଷ୍ଠାର ଗୀତ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖିବାକୁ ମିଳିଛି। ଏହାର ଲେଖକ ଓ ପ୍ରକାଶକ ହେଉଛନ୍ତି ନୟାଗଡ଼ ଜିଲ୍ଳା ତଥା ନୟାଗଡ଼ ବ୍ଳକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ପଂଚାୟତର ବୋଦାପଡ଼ା ଗାଁର ମାଗୁଣି ମହାପାତ୍ର। ଏହି ରଜ ବହିଟି ବ୍ରହ୍ମପୁର ରାଧାକୃଷ୍ଣ ପ୍ରେସରେ ୧୯୫୨ ମସିହାରେ ମଙ୍ଗୁଳୁ ସାହୁଙ୍କ ଦ୍ୱାରା ଛପା ଯାଇଥିଲା ଓ ଏହି ବହିଟିର ମୂଲ୍ୟ ୬ ପଇସା ଥିଲା। ବୋଦାପଡ଼ା ଗାଁ ପରି ଏକ ମଫସଲ ଗାଆଁରୁ ଜଣେ ଲେଖକ ବହିଟିଏ ଛପେଇବା ଏବଂ ରଜଗୀତ ପରି ଏକ ଲୋକପ୍ରିୟ ଗୀତ ପଲ୍ଲୀ ଗୀତ ଲୋକ ଲୋଚନର ଆଢୁଆଳରେ ଥାଇ ୭୦ବର୍ଷ ପରେ ପରିପ୍ରକାଶ ପାଇବା ଅନେକଙ୍କୁ ଚକିତ୍ କରିଛି। ଏହି ରଜ ଗୀତକୁ ସଙ୍ଗୀତରେ, ମଂଚରେ, ଯାତ୍ରାରେ, ସୁଆଙ୍ଗରେ, ନାଟକରେ ବିଶେଷକରି ଟିଭି ପରଦାର ବିଭିନ୍ନ ରିୟଲିଟି ସୋରେ ପରସା ଯାଇଛି। ତେବେ କିଏ ଏହାର ରଚୟିତା ଓ ଓଡ଼ିଶାର ଗଣପର୍ବକୁ ଯୋଡ଼ି କିଏ ଏମିତି ଗୀତ ଖଞ୍ଜିଛନ୍ତି ତାହା ଆଜି ପର୍ଯ୍ୟନ୍ତ ଲୁକ୍କାୟିତ ଥିଲା। ଯାହା ମାଗୁଣି ମହାପାତ୍ରଙ୍କ ସୃଜନିଶୀଳତାରେ ମାତ୍ର ଆଠ ପୃଷ୍ଠାର ଏ ଚଟି ବହିଟି ମୁଦ୍ରିତ ହୋଇ ଆମ ଲୋକ ପରମ୍ପରାରେ ନୂଆ ଫର୍ଦ୍ଦଟିଏ ଯୋଡ଼ିହୋଇ ଯାଇଛି। କୁହାଯାଏ ମାଗୁଣି ମହାପାତ୍ର ଏପରି ଅନେକ ଗୀତ ବହି ମଧ୍ୟ ରଚନା କରିଥିଲେ। ସେତେବେଳେ ସେ ଗାଁ ଗାଁ ବୁଲି ନିଜ ରଚିତ ବହି ବିକିୟ କରୁଥିଲେ। ତେବେ ଏପରି ଏକ ଲୋକପ୍ରିୟ ଗୀତ ଲୁଚି ରହିଥିବାବେଳେ ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଏ ଦୁଇଧାଡ଼ି ସେ ନିଜେ ଲେଖିଛନ୍ତି ନା ଲୋକମୁଖରୁ ସଂଗ୍ରହ କରି ଏହାକୁ ଏକ ଦୀର୍ଘ ଗୀତର ରୂପ ଦେଇଛନ୍ତି ଗବେଷଣା ସାପେକ୍ଷ ବୋଲି କୁହାଯାଉଛି। ତେବେ ଆଜିକୁ ୭୦ବର୍ଷ ତଳେ ଯେ ନୟାଗଡ଼ ବୋଦାପଡ଼ାର ମାଗୁଣି ମହାପାତ୍ର ରଜଦୋଳି ଗୀତ ବହିଟିଏ ରଚନା କରିଥିଲେ ଏଥିରେ ସନ୍ଦେହ ନାହିଁ। ଯାହାକି ଆଜି ଏ ଗୀତର ରଚୟିତାଙ୍କ ପରିଚୟ ମିଳିଲା ପରେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ସାରା ରାଜ୍ୟ ପାଇଁ ଚର୍ଚ୍ଚାର ବିଷୟ ହୋଇଛି।