Odiapua.com

ଭାଇବୋହୁଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ସ୍ୱାମୀ ସ୍ତ୍ରୀଙ୍କୁ ଜେଲ୍

ନୟାଗଡ଼, ୮-୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଓଡ଼ଗାଁ ଥାନା ଅନ୍ତର୍ଗତ ବନ୍ଧାଭୂଇଁ ଗ୍ରାମରେ ପୈତୃକ ସମ୍ପତ୍ତି ଘରବାଡ଼ି ଜାଗାକୁ କେନ୍ଦ୍ର କରି ନିଜ ଭାଇବୋହୁକୁ ମରଣାନ୍ତକ ଆକ୍ରମଣ କରିବା ମାମଲାରେ ନାରାୟଣ ସାହୁ ଓ ତାଙ୍କ ସ୍ତ୍ରୀ ମାନସୀ ସାହୁଙ୍କୁ କୋର୍ଟ ୩୨୫ ଦଫାରେ ୩ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧ହଜାର ଟଙ୍କା ଜରିମାନା ଓ ୩୨୩ ଦଫାରେ ୬ମାସ ଜେଲ ଦଣ୍ଡରେ ଦଣ୍ଡିତ ଶୁଣାଣି କରିଛନ୍ତି। ନାରାୟଣ ସାହୁ ଓ ତାଙ୍କ ସ୍ତ୍ରୀ ମାନସୀ ଗତ ୨୦୧୩ ମସିହା ଅପ୍ରେଲ ୧ ତାରିଖରେ ଘରବାଡ଼ି ଜାଗାକୁ କେନ୍ଦ୍ରକରି ଭାଇବୋହୁ ସୁକାନ୍ତି ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ସୁକାନ୍ତି ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇ ଓଡ଼ଗାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହେବାପରେ ପୁଲିସ ତଦନ୍ତ କରି ମୁଦାଲାଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିଲେ। ଏସ୍ ଟି-୧୭୯/୧୫ କେଶ୍ରେ ମହିଳା ଅଦାଲତର ବିଚାରପତି ଶ୍ରୀ ଜ୍ୟୋତି ରାଉତ ଉପରୋକ୍ତ ଦୂଇଜଣ ମୁଦୁଲାଙ୍କୁ ଭାରତୀୟ ପିଙ୍ଗଳକୋର୍ଡ଼ ଦଫା ୩୨୫ରେ ୩ବର୍ଷ ଜେଲଦଣ୍ଡ ସହ ୧ହଜାର ଟଙ୍କା ଜରିମାନା ଓ ଦଫା ୩୨୩ ଅନୁସାରେ ୬ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏହି ମୋକଦ୍ଦମାରେ ସର୍ବମୋଟ ୧୦ଜଣ ସାକ୍ଷୀ ଓ ସରକାରୀ ଓକିଲ ବଳଭଦ୍ର ମହାନ୍ତିଙ୍କ ଯୁକ୍ତିକୁ ତର୍ଜମା କରି ମାନ୍ୟବର ମହିଳା ଅଦାଲତ ନୟାଗଡ଼ ଉକ୍ତ ଆଦେଶ ପ୍ରଦାନ କରିଥିବା ଜଣାପଡ଼ିଛି।