ନୟାଗଡ଼, ୫ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ପବିତ୍ର ଗୁରୁଦିବସର ଗୁରୁପୂଜନ ସମ୍ବର୍ଦ୍ଧନା ସମାରୋହ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ ବୋଲି କହିବା ସହିତ ବାପ, ମା’ଙ୍କ ପରେ ଛାତ୍ରଛାତ୍ରୀମାନଙ୍କ ଉତ୍ତମ ଜୀବନ ଗଢି ଆଗକୁ ବାଟ ବତାଇବାର ପଥ ପ୍ରଦର୍ଶକ ହେଉଛନ୍ତି ଗୁରୁ ବୋଲି କହିଛନ୍ତି ମନ୍ତ୍ରୀ ଡ.ଅରୁଣ କୁମାର ସାହୁ। ନୟାଗଡ଼ ଶିକ୍ଷା ସମୂହ ମଂଚ ଆନୁକୂଲ୍ୟରେ ଜୁମ୍ ଆପ୍ ଦ୍ୱାରା ଆୟୋଜିତ ଗୁରୁପୂଜନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାହୁୁ କହିଲେଯେ ଗୁରୁଙ୍କ ପରି ଶ୍ରେଷ୍ଠବ୍ୟକ୍ତି କେହି ଆଉ ନାହାନ୍ତି। ଜଣେ ଗୁରୁ ବିଦ୍ୟାର୍ଥୀମାନଙ୍କ ସ୍ୱପ୍ନକୁ ସାକାର କରିବାରେ ସାହାର୍ଯ୍ୟ କରନ୍ତି, ପ୍ରେରଣା ଦିଅନ୍ତି। ଶିକ୍ଷାଦାନକୁ ଜୀବନର ବ୍ରତଭାବେ ଧରିନେଲେ ଗୁରୁଙ୍କ ସମର୍ପଣ ମନୋଭାବ ରହିେଲେ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇ ବ୍ୟକ୍ତିର ବିକାଶ ଘଟିବା ସହ ମାନବ ସମ୍ବଳକୁ ଉପଯୁକ୍ତ ଭାବରେ ବିନିଯୋଗ ହୋଇପାରିବ ଏବଂ ଭଲକୁ ଭଲ ଭାବେ ଗ୍ରହଣ କଲେ ସମାଜର ଉନ୍ନତି ହୋଇପାରିବ ବୋଲି ମନ୍ତ୍ରୀ କହିଥିଲେ। ଅବସରପ୍ରାପ୍ତ ଶିକ୍ଷକ ହରିହର ମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ, ଜିଲ୍ଳା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ ପ୍ରମୁଖ ଯୋଗଦେଇ ଗୁରୁପୂଜନର ମହତ୍ ଉଦ୍ଦେଶ୍ୟ ଉପରେ ଅବତାରଣା କରିଥିଲେ। ଏହି ଜୁମ୍ଆପ୍ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷକ ଯୋଡ଼ି ହୋଇଥିବାବେଳେ ଅବସର ନେଇଥିବା ଶିକ୍ଷକଙ୍କୁ ମନେପକାଇ ମନ୍ତ୍ରୀ ଡ. ସାହୁ ଗୁରୁଦିବସରେ ପ୍ରତିବର୍ଷ ଏପରି ପ୍ରୟାସ କରୁଥିବାରୁ ଧନ୍ୟବାଦ ଦେବା ସହ ଉଚ୍ଚ ପ୍ରଶଂସା କରିଥିଲେ।