Odiapua.com

ଭବିଷ୍ୟନିଧି ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୨୮ରେ

ରାଉରକେଲା ୨୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସର୍ବଭାରତୀୟ ଭବିଷ୍ୟନିଧି କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଦେଶବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ବିକ୍ଷୋଭର ୨୩ତମ ଦିବସରେ ରାଉରକେଲା କାର୍ଯ୍ୟାଳୟ ଠାରେ ମଧ୍ୟାହ୍ନ ବିରତି ବିକ୍ଷୋଭ ସହ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ ଓ ବିଭିନ୍ନ ପଦବୀ ଭିତ୍ତିରେ ଥିବା ଅମେଳକ ଉଚ୍ଛେଦକୁ ନେଇ ୯ ଦଫା ସମ୍ବଳିତ ଏକ ଦାବିପତ୍ର ଉପରେ ବିଶଦ୍ ଆଲୋଚନା କରାଯିବା ସହ ରାଉରକେଲା ସଂଘ ସାଧାରଣ ସମ୍ପାଦକ ଚକ୍ରଧର ମଲ୍ଲିକ ପ୍ରସ୍ତାବିତ ୨୮ ତାରିଖ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି। ସମ୍ମିଳନୀରେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଗାଙ୍ଗପୁର ଷ୍ଟେଟ ମଜଦୁର ସଭା ସାଧାରଣ ସମ୍ପାଦକ ଗୋପାଳ ଚନ୍ଦ୍ର ଦାସ ଓ ଜିଲ୍ଲା ଡାକ କର୍ମଚାରୀ ୟୁନିୟନର ସାଧାରଣ ସମ୍ପାଦକ ଯତୀନ ମହାପାତ୍ର ଉଦବୋଧନ ଦେଇ ଭବିଷ୍ୟନିଧି କର୍ମଚାରୀଙ୍କ ନ୍ୟାର୍ଯ୍ୟଦାବି ଉପରେ ଆଲୋଚନା କରିବା ସହ ୨୮ ତାରିଖର ପ୍ରସ୍ତାବିତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସେମାନଙ୍କ ସଙ୍ଗଠନ ପୂର୍ଣ୍ଣ ସମର୍ଥନ କରୁଥିବା ନେଇ ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରି ସଂଘର ବରିଷ୍ଠ କର୍ମକର୍ତ୍ତା ନିଖିଳେଶ୍ୱର ଦାଶ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା କର୍ମଚାରୀଙ୍କୁ ସର୍ବଦା ଚାପଗ୍ରସ୍ତ କରି ରଖାଯାଉଥିବା ନୀତିକୁ କଟୁ ସମାଲୋଚନା କରିଥିଲେ। ସମ୍ମିଳନୀରେ ସଂଘର ବରିଷ୍ଠ କର୍ମକର୍ତ୍ତା ପ୍ରଦୀପ ଡୁଙ୍ଗଡୁଙ୍ଗ, ଚାମୁ ମାଙ୍କି, ପ୍ରଫୁଲ୍ଲ ଗୁମାନସିଂହ, ସୁରେଶ ବଳ, ଅଶୋକ ନାୟକ, ଆଦିତ୍ୟ ଦାଶ, ନିରଞ୍ଜନ ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।