ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୧୮ ତାରିଖରୁ ୮ ଦିନ ଧରି ନେହେରୁ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଭଦ୍ରାୟଣୀ – ୨୦୨୬ ଜିଲା ମହୋତ୍ସବର ସଫଳତା ନେଇ ଗତକାଲି ସନ୍ଧ୍ୟାରେ ଜିଲା ସଦ୍ଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାପାଳ ଦିଲ୍ଲୀପ ରାଉତରାଏ ଅଧ୍ୟକ୍ଷତା କରି ମହୋତ୍ସବର ଆଭିମୁଖ୍ୟ ଆତ୍ମନିର୍ଭରଶୀଳ ସ୍ୱଦେଶୀ ମେଳା, ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳାର ସୁପରିଚାଳନା ଓ ସଠିକ୍ ରୂପାୟନ ଉପରେ ଗୁରୁତ୍ୱ ଦେଇଥିଲେ। ଚଳିତବର୍ଷ ଏହି ମହୋତ୍ସବକୁ ନୂଆ ରୂପରେଖ ଦେବା ସହ ଅଧିକ ଶୃଙ୍ଖଳିତ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। ବନ୍ତଛକ ଠାରେ ସୁଦୃଶ୍ୟମାନ ତୋରଣ ନିର୍ମାଣ କରାଯିବା ସହ ବନ୍ତଛକ ଠାରୁ ମହୋତ୍ସବ ସ୍ଥଳ ନେହେରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିବା ସଡକ ପଥର ଉଭୟ ପାଶ୍ୱର୍ରେ କରିଡର ମାଧ୍ୟମରେ ଜିଲା ତଥା ରାଜ୍ୟର କଳା, ସଂସ୍କୃତି ପ୍ରଦର୍ଶନ କରାଯିବା ସହ ସଡକ ପଥରେ ପାରମ୍ପରିକ ଚିତା ଓ ଝୋଟିମାନ ଚିତ୍ରଣ କରାଯିବ। ସେହିପରି ଜିଲା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିର୍ଦ୍ଦେଶ କ୍ରମେ ଚଳିତବର୍ଷ ପୂର୍ବବର୍ଷ ଭଳି ରାଜ୍ୟ ବାହାର କଳାକାରମାନଙ୍କୁ ଆମନ୍ତ୍ରଣ କରାନଯାଇ ଜିଲା ତଥା ରାଜ୍ୟରେ କଳା ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ମହୋତ୍ସବରେ ସୁଯୋଗ ଦିଆଯିବ। ଏହି ମହୋତ୍ସବରେ ସରକାରୀ ଓ ବେସରକାରୀ ସ୍ତରରେ ୪୧୦ ଟି ଷ୍ଟଲ୍ ପ୍ରଦର୍ଶନ କରାଯିବ। ଏହାବ୍ୟତୀତ ଏହିବର୍ଷ ପ୍ରଥମଥର ପାଇଁ ପୁସ୍ତକ ମେଳାର ଆୟୋଜନ କରାଯିବ। ଏଥିରେ ୪୦ ଟି ବିଭିନ୍ନ ପ୍ରକାଶନର ପୁସ୍ତକ ଷ୍ଟଲ୍ ଶୋଭା ପାଇବ। ଜିଲା ତଥା ବାହାର ଜିଲାର ଶହେଟି ସ୍ୱୟଂ ସହାୟିକା ଗୋଷ୍ଠୀ ଏଥିରେ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ୮ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବରେ ଅଧିକ ଜନ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ଉପରେ ଜିଲାପାଳ ଶ୍ରୀ ରାଉତରାଏ ଗୁରୁତ୍ୱ ଦେଇଥିଲେ। ସେହିପରି ଖାଦ୍ୟ ନିରାପତା, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାର ସୁପରିଚାଳନା ପାଇଁ ବିଭାଗୀୟ କର୍ତୃପକ୍ଷଙ୍କୁ ତାଗିଦ କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।