Odiapua.com

ଭଦ୍ରାୟଣୀ – ୨୦୨୨ ସ୍ମରଣିକା ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ ବିଶ୍ୱ ପୁରୁଷ ହକି କପ୍ ଆୟୋଜନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୫ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଉପଲକ୍ଷେ ଭଦ୍ରାୟଣୀ ସ୍ମରଣିକା ପ୍ରକାଶନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥି ପାଇଁ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ମରଣିକା କମିଟିର ସଦସ୍ୟମାନଙ୍କୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଲୋକକଳା, ପର୍ଯ୍ୟଟନ, ଐତିହ୍ୟ ଆଦି ବିଷୟ ଉପରେ ଆଧାରିତ ଲେଖାକୁ ଏହି ସ୍ମରଣିକାରେ ସ୍ଥାନ ଦିଆଯିବା ନେଇ ସ୍ଥିର କରାଯାଇଛି। ଏଥି ପାଇଁ ବିଶିଷ୍ଟ ଲେଖକମାନଙ୍କ ଠାରୁ ଲେଖା ସଂଗ୍ରହ ପାଇଁ ସମ୍ପାଦନା ମଣ୍ଡଳୀର ସଦସ୍ୟମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଆବଶ୍ୟକ ହେଲେ ଏଥିପାଇଁ ଖ୍ୟାତନାମା ଲେଖକମାନଙ୍କୁ ଅନୁରୋଧ ପତ୍ର ପ୍ରେରଣ ପାଇଁ ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଲେଖା ପ୍ରଦାନ ପାଇଁ ଜାନୁୟାରୀ ୧୦ ତାରିଖକୁ ଶେଷ ତାରିଖ ରଖାଯାଇଛି। ଏହି ଅବଧି ମଧ୍ୟରେ ଇଚ୍ଛୁକ ସାଧାରଣ ଜନତାଙ୍କ ଦ୍ୱାରା ପ୍ରାପ୍ତ ଲେଖା ସମ୍ପାଦନା ମଣ୍ଡଳୀ ଦ୍ୱାରା ଅନୁମୋଦିତ ହେଲେ ସ୍ମରଣିକାରେ ପ୍ରକାଶିତ ପାଇଁ ଗ୍ରହଣ କରାଯିବ। ସ୍ମରଣିକା କମିଟିର ସଦସ୍ୟ ଭାବେ ଧାମନଗର କଲେଜର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ଏବଂ ଡ଼. ମାୟାଧର ନାୟକ, ଅବସରପ୍ରାପ୍ତ ଅଧ୍ୟାପିକା ରାଧାରାଣୀ ମହାପାତ୍ର, ପ୍ରଭାତନଳିନୀ ମହାପାତ୍ର, ପ୍ରଫେସର ଡ଼. କ୍ଷୀରୋଦ ସାମଲ, ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ବହଳୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ କୁମାର ରାୟ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। E_mail : bhadrayaneesouvenir2022@gmail.com ଜରିଆରେ ଲେଖା ପଠାଇବାକୁ ଅନୁରୋଧ।