Odiapua.com

ଭଦ୍ରାୟଣୀର ୪ର୍ଥ ସନ୍ଧ୍ୟା – ବଲିଉଡ଼୍ ସିଙ୍ଗର ପ୍ରତିଭା ସିଂ ବାଘେଲଙ୍କ ଜଲୱା, ଓଡ଼ିଆରେ ବି ଗାଇଲେ ଏ ଫୁଲ କହନା, ରଙ୍ଗବତୀ ରଙ୍ଗବତୀ

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀର ୪ର୍ଥ ସନ୍ଧ୍ୟା ର ରଙ୍ଗାରଙ୍ଗ ଦମଦାର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ବିଭୋର କରିଛି । ବଲିଉଡ଼୍ ପ୍ଲେବ୍ୟାକ୍ ସିଙ୍ଗର ପ୍ରତିଭା ସିଂହ ବାଘେଲ ଓ ଓଲିଉଡ଼୍ ପ୍ଲେବ୍ୟାକ୍ ସିଙ୍ଗର ତିଲକ ଚକ୍ରବର୍ତ୍ତୀଙ୍କ ଆକର୍ଷଣୀୟ ମେଲୋଡ଼ି, କମେଡ଼ିଆନ୍ ଅନ୍‌ଗୁଳିଆ ବଣ୍ଟିଙ୍କ କମେଡ଼ି ଓ ସିଜଲରସ୍ ଡ୍ୟାନସ୍ ଗ୍ରୁପ୍ ସହିତ ଓଲିଉଡ଼୍ ସେଲିବ୍ରିଟି ରିୟା ଦେଙ୍କ ଦମଦାର ନୃତ୍ୟ ପ୍ରଦର୍ଶନ ଭରପୁର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଜିଲ୍ଲା ମହୋତ୍ସବର ୪ର୍ଥ ଦିନର ସାନ୍ଧ୍ୟ ସଭାରେ ସାଂସଦ ମଂଜୁଲତା ମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଭଦ୍ରକର ଉର୍ମିଳା ନାୟକ, ଧାମନଗର ର ଶର୍ମିଷ୍ଠା ବେହେରା, ବସୁଦେବପୁରର ନଗେନ୍ଦ୍ର ବିଶ୍ୱାଳ, ତିହିଡ଼ିର ଅବନ୍ତୀ ଦାସ, ବନ୍ତର ମନୋରଞ୍ଜନ ଘଡ଼େଇ, ଭଣ୍ଡାରିପୋଖରୀର ସୁମତି ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭଦ୍ରାୟଣୀରେ ଆୟୋଜିତ ହୋଇଥିବା ପଲ୍ଲିଶ୍ରୀ ମେଳା, ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ ପ୍ରତିଦିନ ଅନୁଷ୍ଠିତ ହୋଇଥିବା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଭୂରୀୟସୀ ପ୍ରଶଂସା କରିଥିଲେ । ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର୍ର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

ତାରକା ଉଦ୍‌ଘୋଷକ ପୁପିନ୍ଦର ସିଂ ଆକର୍ଷଣୀୟ ଢଙ୍ଗରେ ମଞ୍ଚ ପରିଚାଳନା କରିଥିଲେ । ପ୍ରତ୍ୟେକ ଦିନ ପରି ୪ର୍ଥ ଦିନରେ ମଧ୍ୟ ଅପରାହ୍ନ ୪ଟାରୁ ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଙ୍କ ପରିଚାଳନାରେ ଆଞ୍ଚଳିକ ପ୍ରତିଭା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉଦ୍‌ଘୋଷିକା ଆଦର୍ଶ ବିଦ୍ୟାଳୟ, ଓଲଙ୍ଗର ଶିକ୍ଷୟିତ୍ରୀ କାଦମ୍ବରୀ କରଶର୍ମାଙ୍କ ଆକର୍ଷଣୀୟ ଉଦ୍‌ଘୋଷଣା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ରସମୟ କରିଥିଲା । ସାଳନ୍ଦୀ ଡିଗ୍ରୀ କଲେଜ, ଓଲଙ୍ଗର ଶ୍ରୀ ଅରବିନ୍ଦ ସ୍କୁଲ ଦ୍ୱାରା ପରିବେଷିତ ଦେଶାତ୍ମକ ବୋଧକ ନୃତ୍ୟ, ଜବାହର ଲାଲ ନେହେରୁ ବିଦ୍ୟାଳୟ, ଚାନ୍ଦିମାଳର ଲୋକନୃତ୍ୟ, ସନ୍‌ସାଇନ୍ ମିଶନସ୍କୁଲର ଓଡ଼ିଶା ସଂସ୍କୃତି ଆଧାରିତ ନୃତ୍ୟ, ମକରେଶ୍ୱର ନୋଡ଼ାଲ ସ୍କୁଲର ପରୀ ନୃତ୍ୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଲଙ୍ଗରେ ଓଡ଼ିଶୀ ନୃତ୍ୟ, ଡି.ଏ.ବି. ଇଚ୍ଛାପୁରର ଆଦିବାସୀ ନୃତ୍ୟ ଏବଂ ଭଦ୍ରକ ମାଟିର ଝିଅ କଣ୍ଠଶିଳ୍ପୀ ଲୋପାମୁଦ୍ରା ପଣ୍ଡାଙ୍କ ସଙ୍ଗୀତ ଖୁବ୍ ଉଚ୍ଚକୋଟୀର ଥିଲା । ଭଦ୍ରକ ବିଧାୟକ ସଂଜିବ୍ ମଲ୍ଲିକ୍‌, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ସାନ୍ତନୁ କୁମାର ମହାନ୍ତି, ମନୋଜ ପାତ୍ର, ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।