Odiapua.com

ଭଦ୍ରାଣୀ ସରପଞ୍ଚ ସଂଘ ପକ୍ଷରୁ ୧୫ ଦଫା ଦାବିପତ୍ର ପ୍ରଦାନ

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଞ୍ଚଳରେ ପଞ୍ଚାୟତ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସରକାରଙ୍କ ୭୩ତମ ଅଧିନିୟମ ବ୍ୟବସ୍ଥାରେ କ୍ଷମତା ପ୍ରଦାନ କରାଯାଇଛି । ରାଜ୍ୟ ସରକାର ବିଭିନ୍ନ ସରକାରୀ ଆଦେଶନାମାରେ ପଂଚାୟତର ଅଧିକାରକୁ କ୍ଷୁର୍ଣ୍ଣ କରିବାରେ ଲାଗିଛନ୍ତି । ଏହାର ପ୍ରତିବାଦ କରି ଭଦ୍ରକ ବ୍ଲକ୍‌ର ଭଦ୍ରାଣୀ ସରପଞ୍ଚ ସଂଘ ତରଫରୁ ୧୫ଦଫା ସମ୍ବଳିତ ଏକ ଦାବିପତ୍ର ଆଜି ଅତିରିକ୍ତ ଜିଳାପାଳ ଶାନ୍ତନୁ କୁମାର ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ବାବଦରେ ଆସିଥିବା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଅନୁଦାନ ଅର୍ଥ ବିଡିଓଙ୍କ କାଉଣ୍ଟର ସାଇନ୍ ରହିବା ପାଇଁ ଉଲ୍ଲେଖ ରହିଛି । କିନ୍ତୁ ଗ୍ରାମପଞ୍ଚାୟତରୁ ସେତିକି ଟଙ୍କା ଆସୁନାହିଁ । ବିଡିଓଙ୍କ କାଉଣ୍ଟର ସାଇନ୍‌କୁ ହଟାଯିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ପଂଚାୟତ ବ୍ୟବସ୍ଥା ହେଉଛି ସ୍ୱତନ୍ତ୍ର ସ୍ୱାୟତ୍ତ ଶାସନ ।ଅନ୍ୟପକ୍ଷରେ ପଲ୍ଲୀସଭା ଓ ଗ୍ରାମସଭାକୁ ଗୁରୁତ୍ୱ ଦିଆଯିବା ପାଇଁ ଦାବି କରାଯାଇଛି । ଭାରତ ସରକାର ଓ ଓଡ଼ିଶା ସରକାର ସମସ୍ତ ଯୋଜନା ବାବଦରେ ଆସୁଥିବା ଅନୁଦାନ ଓ ହିତାଧିକାରୀଙ୍କ ଚୟନ ଗ୍ରାମସଭା ମାଧ୍ୟମରେ ଅନୁମୋଦନ କରାଯିବା ପାଇଁ ଦାବି କରାଯାଇଛି । ସରପଞ୍ଚମାନେ ସିଧାସଳଖ ଭାବେ ନିର୍ବାଚିତ ହେଉଥିବାରୁ ୱାର୍ଡ ସଭ୍ୟଙ୍କ ଦ୍ୱାରା କରାଯାଉଥିବା ଅନାସ୍ଥା ପ୍ରସ୍ତାବକୁ ବନ୍ଦ କରିଦେବା ପାଇଁ ଦାବି ରହିଛି ।

ଏହିପରି ପଂଚାୟତ ଅଂଚଳରେ ଥିବା ଗୋଚର ତଥା ସରକାରୀ ଜମିର ରକ୍ଷଣାବେକ୍ଷଣ ଦାୟିତ୍ୱ ପଂଚାୟତକୁ ହସ୍ତାନ୍ତର କରାଯିବା ସହ ଗୋଚର କିସମକୁ ପରିବର୍ତ୍ତନ କରି ପଂଚାୟତର ଆୟ ସମ୍ବଳିତ ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ଦିଆଯିବା ପାଇଁ ସଂଘ ପକ୍ଷରୁ ଦାବି ରଖାଯାଇଛି । ଏହାବ୍ୟତୀତ ସରପଞ୍ଚମାନଙ୍କ ପାଇଁ ରାଜଧାନୀ ଓ ଜିଲା ସଦର ମହକୁମାରେ ସରପଞ୍ଚ ଭବନ, ନିର୍ମାଣ ପାଇଁ ଜମି ଓ ଅର୍ଥ ବରାଦ କରାଯିବା ସହ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ତରଫରୁ ସରପଞ୍ଚଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବା ପାଇଁ ଦାବି କରିଛନ୍ତି । ସେହିଭଳି ଆମ ଓଡ଼ିଶା ନବୀନ ଓଡ଼ିଶାରେ ଆସୁଥିବା ଅର୍ଥ ଗ୍ରାମସଭା ମାଧ୍ୟମରେ ପାରିତ ହୋଇ ଗ୍ରାମପଞ୍ଚାୟତକୁ ତଦାରଖ ଦାୟିତ୍ୱ, ପଞ୍ଚାୟତର କାର୍ଯ୍ୟ ସୁପରିଚାଳନା ପାଇଁ ପ୍ରତି ଗ୍ରାମପଞ୍ଚାୟତକୁ ଜଣେ ଲେଖାଏଁ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆରଏସ୍ ଓ ଜଣେ ଡାଟା ଏଣ୍ଟ୍ରି ଅପରେଟର ସହ ପିଅନ ଓ ରାତ୍ର ଜଗୁଆଳି ମାନଙ୍କ ପାଇଁ ଅର୍ଥର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ସରପଞ୍ଚମାନଙ୍କୁ ଭତ୍ତା ବଦଳରେ ଦରମା ଲାଗୁ କରିବା ଓ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରାଯାଇଛି । ଭଦ୍ରାଣୀ ସରପଞ୍ଚ ସଂଘର ସଭାପତି ଅକ୍ଷୟ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ନୀରୋଦ ଚନ୍ଦ୍ର ରାଉତ, ତିଳୋତ୍ତମା ମହାପାତ୍ର, ଯୋନାକୀ ଚାନ୍ଦ, ଗଣେଶ ପଣ୍ଡା, ଜିତେନ୍ଦ୍ର ଶୁକ୍ଳା, ନିରଂଜନ ମଳିକ, ଅଜୟ କୁମାର ସାମଲ, ମୁନୁଲତା ପଣ୍ଡା, ଭାଗ୍ୟବତୀ ମହାକୁଡ, ସୁଚିସ୍ମିତା ଜେନା, ରାଜେନ୍ଦ୍ର ଦାସ, ସରସ୍ୱତୀ ସାହୁ, ମୀନାରାଣୀ ମହାଳିକ, ସୁଷମା ମହାନ୍ତି ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।