Odiapua.com

‘ଭଦ୍ରାଣୀ’ ଆନୁକୂଲ୍ୟରେ ସାହିତ୍ୟ କର୍ମଶାଳା ଆୟୋଜିତ

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ, ସଙ୍ଗୀତ, ଚିତ୍ରକଳା ଏବଂ ଅଭିନୟ ହେଉଛି ସୂକ୍ଷ୍ମତମ ଅନୁଭବର ପରିପ୍ରକାଶ। ସଙ୍ଗୀତ, ଅଭିନୟ ଏବଂ ଚିତ୍ରକଳା ଗୁରୁ-ଶିଷ୍ୟ ପରଂପରାରେ ସମୃଦ୍ଧ ଥିବାବେଳେ, ସାହିତ୍ୟ ହେଉଛି ଏକକ ସାଧନାର ନିରନ୍ତର ପ୍ରୟାସ। କିନ୍ତୁ ଏଥି ନିମନ୍ତେ ଗୁରୁଙ୍କର ଆବଶ୍ୟକତା ରହିଛି। ସୁଦୀର୍ଘ ଅତୀତରେ ଭାରତୀୟ ପରଂପରାରେ ଗୁରୁ ମହର୍ଷି ନାରଦ ଆଦି କବି ବାଲ୍ମିକୀଙ୍କୁ ରାମାୟଣର କଥାବସ୍ତୁ ପ୍ରକଟ କରିବା ସହିତ ରଚନା କରିବାର ଜ୍ଞାନକୌଶଳ ପ୍ରଦାନ କରିଥିଲେ ଏବଂ ଏହା ଆଜି ମଧ୍ୟ ମାନବଜଗତକୁ ଦିଗ୍‌ଦର୍ଶନ ପ୍ରଦାନ କରୁଛି। ଋଷି ଶନକ କୁମାର ଏବଂ ଶନତ କୁମାର ମହର୍ଷି ବ୍ୟାସଦେବଙ୍କୁ ମହାଭାରତ ରାଚନା ନିମନ୍ତେ ପ୍ରେରଣା ପ୍ରଦାନ କରିଥିଲେ। ଆହୁରି ନିକଟରେ ପ୍ରାୟ ଶହେ ବର୍ଷ ପୂର୍ବେ ଟି.ଏସ୍‌.ଏଲିଏଟଙ୍କ ‘ୱେଷ୍ଟ ଲାଣ୍ଡ’ କବିତା, ଗୁରୁ ଏଜରା ପାଉଣ୍ଡଙ୍କ ହାତରେ ପରିମାର୍ଜିତ ହୋଇଥିଲା। ୮୦୦ ଧାଡିର ଏହି କବିତାକୁ ଗୁରୁ ଏଜରା ପାଉଣ୍ଡ ସଂଶୋଧନ କରି ପ୍ରାୟ ୪୦୦ ଧାଡିରେ ସୀମିତ ରଖିବା ଫଳରେ ତାହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇ ପାରିଥିଲା ଏବଂ ବିଂଶ ଶତାବ୍ଦୀର ସର୍ବାଧିକ ଲୋକପ୍ରିୟ କବିତାରେ ପରିଣତ ହୋଇଗଲା। ସେହି ପରଂପରାକୁ ବଜାୟ ରଖିବା ସହିତ ତାହାକୁ ଆହୁରି ସମୃଦ୍ଧ କରିବା ଉଦ୍ଦେଶ୍ୟରେ ସାହିତ୍ୟ କର୍ମଶାଳା ଆୟୋଜନ କରାଯାଇଛି ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ।

‘ଭଦ୍ରାଣୀ’ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ଦିଗ୍‌ଦର୍ଶକ ଭାବେ ବରିଷ୍ଠ ସାହିତ୍ୟିକ ପ୍ରାଧ୍ୟାପକ ଡଃ ବ୍ରଜମୋହନ ମିଶ୍ର, ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ କବି ଡଃ ଶଶଧର ଦାସ ଏବଂ ସମୀକ୍ଷକ ଭାବେ ଚରଂପା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଡଃ ସୁକାନ୍ତି ମହାପାତ୍ର ଯୋଗ ଦେଇ ପଠିତ କବିତାର ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ। ପ୍ରାରମ୍ଭରେ ଭଦ୍ରାଣୀ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ମୀନୁ ଦ୍ୱିବେଦୀ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିବାବେଳେ କୁମାରୀ ନିର୍ଲିପ୍ତା ପାତ୍ର ସ୍ୱର୍ଗୀୟା ନିର୍ମଳା ମିଶ୍ରଙ୍କ ଗୀତ ପରିବେଷଣ କରି ସେହି ପୁଣ୍ୟାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କବିତା ଆସରରେ ପାଞ୍ଚଟି ଭାଷାରେ କବିତା ପାଠ କରାଯାଇଥିଲା। ସ୍ୱରଚିତ ସଂସ୍କୃତ କବିତା ପାଠ କରିଥିଲେ ଡଃ ପ୍ରମୋଦ ନାୟକ, ଉର୍ଦ୍ଦୁ କବିତା ମୁସ୍ତାକ ଗହ୍ୱର, ହିନ୍ଦି କବିତା ଅକ୍ଷୟ ଜେନା, ଇଂରାଜୀ କବିତା ଶାନ୍ତନୁ ରାଉତ। ଓଡିଆ କବିତା ପାଠ କରିଥିଲେ ପ୍ରଭାତ ନଳିନୀ ମହାପାତ୍ର, ସଂଜିତ ବଳ, କିଶୋର ପାଣିଗ୍ରାହୀ, ସୁଚିତ୍ର ପାଣିଗ୍ରାହୀ, ସୁଭ୍ରାଂଶୁ ମାହୁନ୍ତ, ଅବନୀ ପ୍ରଧାନ, ଦୁଃଶାସନ ଗାହାଣ, ସାବିତ୍ରୀ କବି, ହୃଦାନନ୍ଦ ପାଣିଗ୍ରାହୀ, ଭରତ ଦାସ, ମନୋରମା ରାୟ, ରମାକାନ୍ତ ପାଳ ଏବଂ ପୂର୍ଣ୍ଣଚନ୍ଦ୍ର ବହଳୀ। ଏହି ଆସରରେ ବିଶିଷ୍ଟ ଗାଳ୍ପିକ ରାଧାବିନୋଦ ନାୟକ, ଅରୁଣ ଖିଲାର, ପବିତ୍ର ପାଣିଗ୍ରାହୀ, ମମତା ସାହୁ, ଅଟଳ ବିହାରୀ ନାୟକ, ରବି ନାରାୟଣ ପଣ୍ଡା, ବାମଦେବ ମିଶ୍ର, ଫାରୁକ ଭାଇ, ବସନ୍ତ କୁମାର ପାଣିଗ୍ରାହୀ, ଅଭିଜିତ ନାୟକ ପ୍ରମୁଖ ଶତାଧିକ ବୁଦ୍ଧଜୀବୀ ଉପସ୍ଥିତ ଥିଲେ।