Odiapua.com

ଭଦ୍ରକ ସ୍ୱୟଂ ଶାସିତ କଲେଜରେ ଛାତ୍ର ଉତ୍ତେଜନା

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଛାତ୍ର ଉତ୍ତେଜନା ଦେଖାଦେଇଥିଲା । ଯୁକ୍ତ ତିନି ଦ୍ୱିତୀୟ ବର୍ଷ ସମସ୍ତ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀମାନଙ୍କର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାରେ ବ୍ୟାକ୍ ଲାଗିଥିବା ଏହି ଉତ୍ତେଜନାର କାରଣ ବୋଲି ଜଣାପଡିଛି । ଉକ୍ତ ଘଟଣାକୁ ନେଇ ଆଜି କଲେଜର ଛାତ୍ରଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀଙ୍କ ଅଭିଯୋଗରୁ ଯାହା ଜଣାଯାଏ କରୋନା ସମୟରେ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ହୋଇନଥିବାବେଳେ କିଭଳି ବ୍ୟାକ୍ ଲାଗିଲା । ଗତକାଲି ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିବାବେଳେ ଅଧିକାଂଶ ଛାତ୍ରଛାତ୍ରୀମାନଙ୍କର ବ୍ୟାକ୍ ରହିଥିବା ଦେଖାଯାଇଥିଲା । ଯାହାର ପ୍ରଥମ ସେମିଷ୍ଟାର ବ୍ୟାକ୍ ଥିଲା, ସେମାନଙ୍କର ଦ୍ୱିତୀୟ ସେମିଷ୍ଟାରକୁ ମଧ୍ୟ ବ୍ୟାକ୍ କରାଯାଇଛି । ଏହି ଘଟଣାକୁ ନେଇ ଏଭଳି ଛାତ୍ର ଅଶାନ୍ତି ଦେଖାଦେଇଛି । ତେବେ ଅଧ୍ୟକ୍ଷ ଉମାକାନ୍ତ ସାମଲ ସରକାରଙ୍କ ନିୟମ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଇଛି ବୋଲି କହିବା ସହ ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି ସୂଚାଇଛନ୍ତି ।