Odiapua.com

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୂଜ୍ୟପୂଜାର ଚରମ ଅବହେଳା, ନରେନ୍ଦ୍ର ପ୍ରସାଦ ଦାସ ସ୍ମାରକୀ ବକ୍ତୃତା ବନ୍ଦ

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଏକ ମହାନ୍ ପୂଜ୍ୟପୂଜା କାର୍ଯ୍ୟକ୍ରମ ତଥା ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତଃ ନରେନ୍ଦ୍ର ପ୍ରସାଦ ଦାସଙ୍କ ନାମରେ ନାମିତ “ନରେନ୍ଦ୍ର ପ୍ରସାଦ ଦାସ ସ୍ମାରକୀ ବକ୍ତୃତା” ଗତ କିଛିବର୍ଷ ହେବ ପାଳିତ ହେଉନାହିଁ । ଏ ନେଇ ଭଦ୍ରକ ଅଂଚଳର ବହୁ ବୁଦ୍ଧିଜୀବୀ ଓ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ମନରେ ଗଭୀର କ୍ଷୋଭ ପ୍ରକାଶ ପାଇଛି ବୋଲି ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ପ୍ରଫେସର ଡ. ଶଶଧର ଦାସ ଜଣାଇଛନ୍ତି । ପ୍ରଫେସର ଦାସ କହିଛନ୍ତି ଯେ ମହାବିଦ୍ୟାଳୟ ପ୍ରତିଷ୍ଠା ପର୍ବର ୩ ମହାନ୍ ବ୍ୟକ୍ତି ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ, ଆଡଭୋକେଟ୍ ନରେନ୍ଦ୍ର ପ୍ରସାଦ ଦାସ ଓ ଜଗନ୍ନାଥପୁର ଗ୍ରାମର ବିଶିଷ୍ଟ ଜମିଦାର ତଥା ଇଂଜିନିୟର ଛକଡି ମହାନ୍ତିଙ୍କ ତ୍ୟାଗ, ନିଷ୍ଠାପର ଉଦ୍ୟମ ଓ ଆନ୍ତରିକ ସହଯୋଗ ଲାଭ କରି ଅଳ୍ପଦିନ ମଧ୍ୟରେ ସମଗ୍ର ଓଡ଼ିଶା ତଥା ପୂର୍ବ ଭାରତର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନର ଗୌରବ ଓ ମର୍ଯ୍ୟାଦା ଲାଭ କରିଥିଲା ।

ଭଦ୍ରକ ସହରର ବିଶିଷ୍ଟ ବ୍ୟକ୍ତି, ଆଡଭୋକେଟ୍ ରାଖାଲ ଚନ୍ଦ୍ର ଦାସଙ୍କ ପରାମର୍ଶ କ୍ରମେ ସ୍ୱର୍ଗତଃ ନରେନ୍ଦ୍ର ପ୍ରସାଦ ଦାସଙ୍କ ନାମରେ ମହାବିଦ୍ୟାଳୟରେ ଏକ ସ୍ମାରକୀ ବକ୍ତୃତା ପ୍ରତିବର୍ଷ ନିଜସ୍ୱ ସଭାଗୃହରେ ଅନୁଷ୍ଠିତ ହେବାର ନିଷ୍ପତ୍ତି ନିଆଯାଇ ସଭାସ୍ଥଳରେ ଉପରୋକ୍ତ ତିନି ମହାନ୍ ନିର୍ମାତାଙ୍କ ତୈଳଚିତ୍ର ରଖାଯାଇ ଉକ୍ତ ବକ୍ତୃତା କରାଯିବାର ସ୍ଥିର ହୋଇଥିଲା । ଓଡ଼ିଶାର ଜଣେ ବରିଷ୍ଠ ବାଗ୍ମୀଙ୍କୁ ନିମନ୍ତ୍ରଣ କରି ପୂର୍ବ ନିର୍ଦ୍ଧାରିତ ପ୍ରସଙ୍ଗରେ ସ୍ମାରକୀ ବକ୍ତୃତା ହେବା ସହ ମହାବିଦ୍ୟାଳୟର ଅବସରପ୍ରାପ୍ତ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଉଥିଲା । ଅବସରପ୍ରାପ୍ତ ପ୍ରଫେସର ଡ. ସନାତନ ମହାନ୍ତିଙ୍କ ସଭାପତିତ୍ୱରେ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ, ସ୍ମାରକୀ କମିଟିର କର୍ମକର୍ତ୍ତାଙ୍କ ସହଯୋଗରେ ଏହା ପ୍ରତିବର୍ଷ ସୂଚାରୁ ରୂପେ ନିୟମିତ ଭାବେ ଅନୁଷ୍ଠିତ ହୋଇଆସୁଥିଲା । ପ୍ରଫେସର ଡ. ସନାତନ ମହାନ୍ତିଙ୍କ ପରେ ଏହା ଗୋଟିଏ ବର୍ଷ ପାଳିତ ହୋଇଥିଲା । ଏବେ ସେହି ବିଷୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ କିମ୍ବା ବିଭିନ୍ନ କମିଟିର କର୍ମକର୍ତ୍ତା ଥିବା ବହୁ ଅବସରପ୍ରାପ୍ତ ଅଧ୍ୟାପକ ପୂଜ୍ୟପୂଜାର ଅବହେଳାର ବିଚାର ନକରିବା ବହୁ ବୁଦ୍ଧିଜୀବୀଙ୍କୁ ଚକିତ କରିଛି ବୋଲି ଡ. ଦାସ ଜଣାଇଛନ୍ତି । ଏଠାରେ ପ୍ରକାଶ ଥାଉକି ଡ. ଶଶଧର ଦାସଙ୍କୁ ବହୁ ବର୍ଷ ଧରି ଏହି କମିଟିର ସଦସ୍ୟ ତଥା ମହାବିଦ୍ୟାଳୟର ପ୍ରାଧ୍ୟାପକ ଥିବାରୁ ଉପରୋକ୍ତ ସ୍ମାରକୀ ବକ୍ତୃତା ଆୟୋଜନର ପ୍ରମୁଖ ଭୂମିକା ଦିଆଯାଇଥାଏ । ତେବେ ଏହା ଏବେ ବନ୍ଦ ରହିବା ଫଳରେ ବହୁ ପୁରାତନ ଛାତ୍ର, ସହରର ବୁଦ୍ଧିଜୀବୀମାନେ ଏନେଇ ଡ. ଦାସଙ୍କ ଦୃଷ୍ଟି ଆକର୍ଷଣ କରୁଥିବା କଥା ସେ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମକୁ ଜଣାଇଛନ୍ତି ।