Odiapua.com

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଭିତିଭୂମିର ବିକାଶ,ପ୍ରଶାସନିକ ଅନୁମୋଦନ ୨ କୋଟି ୪୨ ଲକ୍ଷ ୫୨ ହଜାର ୯୪୨ ଟଙ୍କା

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଭିତିଭୂମିର ବିକାଶ ପାଇଁ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁଷା) ଯୋଜନାରେ ୨ କୋଟି ୪୨ ଲକ୍ଷ ୫୨ ହଜାର ୯୪୨ ଟଙ୍କା ପ୍ରଶାସନିକ ଅନୁମୋଦନ ଲାଭ କରିଛି। ଭିତିଭୂମିର ବିକାଶ ବାବଦରେ ଭଦ୍ରକ କଲେଜ ତରଫରୁ ଏହି ପ୍ରକଳ୍ପ ନିମନ୍ତେ ଏଷ୍ଟିମେଟ୍ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଥିଲା। ଏହାମଧ୍ୟରୁ ଏକ ବିଲ୍‌ଡିଂ ନିର୍ମାଣ ବାବଦରେ ୧ କୋଟି ୭୧ ଲକ୍ଷ ୭୬ ହଜାର ୬୫୧ ଟଙ୍କା ବ୍ୟୟ କରାଯିବ। ସେଥିମଧ୍ୟରୁ ଗ୍ରାଉଣ୍ଡ ଫ୍ଲୋର ବାବଦରେ ୯୨ ଲକ୍ଷ ୪୩ ହଜାର ୯୭୭ ଟଙ୍କା, ଫାଷ୍ଟ ଫ୍ଲୋର ବାବଦରେ ୭୧ ଲକ୍ଷ ୮୮ ହଜାର ୨୫୦ ଟଙ୍କା ଓ କରିଡର ବାବଦରେ ୭ ଲକ୍ଷ ୪ ହଜାର ୪୨୪ ଟଙ୍କା ବ୍ୟୟ କରାଯିବ। ଏହାବ୍ୟତୀତ ବିଲ୍‌ଡିଂର ଅନ୍ତରୀଣ ପାଇପ୍ ଜଳଯୋଗାଣ ବାବଦରେ ୭ ଲକ୍ଷ ୧୪ ହଜାର ୮୪୨ ଟଙ୍କା, ବାହାର ପାଇପ୍‌ଲାଇନ୍ ବାବଦରେ ୧ ଲକ୍ଷ ୩୧ ହଜାର ୪୨୦ ଟଙ୍କା ଓ ସେପ୍‌ଟିକ୍ ଟ୍ୟାଙ୍କ ନିର୍ମାଣ ବାବଦରେ ୨ ଲକ୍ଷ ୯୭ ହଜାର ୨୬୧ ଟଙ୍କା ଖର୍ଚ୍ଚ ହେବ। ସେହିପରି ବିଲ୍‌ଡିଂର ବିଦ୍ୟୁତ୍ ସଂଯୋଗ ବାବଦରେ ୧୪ ଲକ୍ଷ ୭୯ ହଜାର ୧୪୧ ଟଙ୍କା ଓ ଲାଇଟିଂ ଏରେଷ୍ଟର ବାବଦରେ ୮୮ ହଜାର ୨୯୬ ଟଙ୍କା, ମୋଟ ୨୭ ଲକ୍ଷ ୧୦ ହଜାର ୯୬୦ ଟଙ୍କା ବ୍ୟୟ କରାଯିବ। ପ୍ରଶାସନିକ ଅନୁମୋଦନ ପାଇଥିବା ଏହି ଆର୍ଥିକ ଅନୁଦାନ ମଧ୍ୟରୁ କେନ୍ଦ୍ର ସରକାର ରୁଷା ଯୋଜନା ବାବଦରେ ୨ କୋଟି ୪୨ ଲକ୍ଷ ୫୨ ହଜାର ୯୪୨ ଟଙ୍କା ଦେଇଥିବାବେଳେ ଅବଶିଷ୍ଟ ୧୯ ଲକ୍ଷ ୫୨ ହଜାର ୯୪୨ ଟଙ୍କା ରାଜ୍ୟ ବଜେଟ୍‌ରୁ ମିଳିବ। ତେବେ ଉଚ୍ଚଶିକ୍ଷା ବିଭାଗର ନୀତି ନିର୍ଦ୍ଧାରଣ ଅନୁଯାୟୀ ଏହି ନିର୍ମାଣ କାର୍ଯ୍ୟ ସଂପାଦନ ହେବ। ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଅଭିଜ୍ଞ କର୍ତୃପକ୍ଷଙ୍କ ପକ୍ଷରୁ ବୈଷୟିକ ଅନୁମୋଦନ ଲାଭ କରିବ। ବୈଷୟିକ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବାକୁ ନିର୍ଦ୍ଦେଶ ରହିଛି। ଏହାବ୍ୟତୀତ ଏକଜିକୁଟିଭ୍ ଏଜେନ୍ସି ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସଂପାଦନ କରିବାକୁ କୁହାଯାଇଛି। ନିର୍ମାଣ କାର୍ଯ୍ୟର ଦୈନନ୍ଦିନ ଅଗ୍ରଗତିର ରିପୋର୍ଟ ନିୟମିତ ଭାବେ ଉଚ୍ଚଶିକ୍ଷା ବିଭାଗକୁ ପଠାଯିବାର ନିର୍ଦ୍ଦେଶ ରହିଛି।