Odiapua.com

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂଆ-ଓ ଯୋଜନା କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ସରକାରଙ୍କ “ନୂଆ-ଓ” ଯୋଜନା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନେ କେମିତି ଆତ୍ମନିର୍ଭରଶୀଳ, ରୋଜଗାରକ୍ଷମ ଏବଂ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ହୋଇପାରିବେ, ତାହା ଅତି ସୁନ୍ଦର ଭାବେ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ଏହାପରେ ମହାବିଦ୍ୟାଳୟର ପୁରାତନ ଅଧ୍ୟକ୍ଷ, ଦକ୍ଷ ଓ ପ୍ରତିଷ୍ଠିତ ଇଂରାଜୀ ଅଧ୍ୟାପକ, ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉଦ୍‌ଯାପନୀ ସମାରୋହର ମୁଖ୍ୟବକ୍ତା ଡ. ଶୈଳେନ୍ଦ୍ର ମହାପାତ୍ର ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ୧୦ନଂ ୱାର୍ଡର କାଉନ୍‌ସିଲର ପ୍ରତିନିଧି ପଙ୍କଜ କୁମାର ବଳ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ନୂତନ ଭାବେ ଦାୟିତ୍ୱ ନେଇଥିବା ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାସ ପରିଚାଳନା କରିଥିଲେ । ନୋଡାଲ ଅଫିସର ଡ. ଲକ୍ଷ୍ମୀକାନ୍ତ ନାୟକ, ଡ. ଅଜିତ୍ କୁମାର ଦାସ, ସଂଯୋଜକ ଡ. ସନ୍ତୋଷ କୁମାର ସେଠୀ, ଡ. ପଦ୍ମନାଭ ପତ୍ରୀ, ଡ. ତପନ କୁମାର ମହାଳିକ ଏବଂ ଡ. ଚନ୍ଦନ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ । ସଭା ଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।