Odiapua.com

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ବୈଠକ

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୬ ତାରିଖ ଭଦ୍ରକ କଲେଜର ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଅଧ୍ୟକ୍ଷ ବଙ୍କିମ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ପୁରାତନ ଛାତ୍ର ସଂସଦର ସମ୍ପାଦକ ଅଜୟ ନାୟକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଡ. ପ୍ରସନ୍ନ ବିଶ୍ୱାଳଙ୍କ ବିୟୋଗ ଜନିତ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଆଜି ତାଙ୍କ ଏକାଦଶାହ ଅବସରରେ ତାଙ୍କ ଅମରଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା ପୂର୍ବକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ଆଲୋଚନା ମାଧ୍ୟମରେ ପ୍ରତିଷ୍ଠା ଦିବସ ପ୍ରତିବର୍ଷ ଭଳି ପୁରାତନ ଛାତ୍ର ସଂସଦ ଏବଂ ମହାବିଦ୍ୟାଳୟ ପରିଚାଳନା ସମିତି ମିଳିତ ଭାବେ ପାଳନ କରିବେ ଏବଂ ଏହାକୁ ସମ୍ପୂର୍ଣ୍ଣ ନିରାଡମ୍ବର ସହକାରେ ସାମାଜିକ ଦୂରତ୍ୱ ରକ୍ଷା କରି ସୀମିତ ଲୋକଙ୍କୁ ନେଇ ପାଳନ କରିବାକୁ ସ୍ଥିର କରାଯାଇଥିଲା । ସମଗ୍ର ବିଶ୍ୱ କରୋନା ମହାମାରୀ କବଳରେ ରହିଥିବାରୁ କୋବିଡ଼ -୧୯ ନିୟମକୁ ମାନି ସତର୍କତାର ସହ ଏହି ଦିବସ ପାଳନ କରିବାକୁ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଚଳିତ ବର୍ଷର ଶିକ୍ଷା ବ୍ୟବସ୍ଥା ଏବଂ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ କର୍ମଚାରୀଙ୍କୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏ ନେଇ ଏକ ପ୍ରତିନିଧି ଦଳ ରାଜ୍ୟ ଶିକ୍ଷା ବିଭାଗ ସହିତ ତୁରନ୍ତ ଆଲୋଚନା କରିବାକୁ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ଶେଷରେ ପୁରାତନ ଛାତ୍ର ସଂସଦର ସଭ୍ୟ ଗୋକୁଳି ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାରେ ଅମରେନ୍ଦ୍ର ବିଶ୍ୱାଳ, ଅଧ୍ୟାପକ ଦୁର୍ଗାଶଙ୍କର ଦାସ, ଲକ୍ଷ୍ମୀକାନ୍ତ ନାୟକ, ସତ୍ୟନାରାୟଣ ବାରିକ, ଜୟଶ୍ରୀ ମୁଣ୍ଡା, ପି. ଖଟୁଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।