Odiapua.com

ଭଦ୍ରକ : ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତଙ୍କ ଦେହାନ୍ତ, ବିଭିନ୍ନ ମହଲରେ ଶୋକ

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ଭଦ୍ରକ ନୁହେଁ, ଆମ ରାଜ୍ୟର ଜଣେ ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ହୃଦାନନ୍ଦ ରାଉତଙ୍କର ଆଜି ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି । ସ୍ୱର୍ଗତଃ ରାଉତ ଗତ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଭଦ୍ରକ ବ୍ଲକ୍ କଲେଇ ପଂଚାୟତର ବଳଭଦ୍ରପୁରସ୍ଥିତ ବାସଭବନରେ ପୀଡିତ ଥିଲେ । ଆଜି ସନ୍ଧ୍ୟା ୬.୩୦ ସମୟରେ ତାଙ୍କର ନିଜ ବାସଭବନରେ ପରଲୋକ ହୋଇଛି । ତାଙ୍କର ମୃତ୍ୟୁ ଖବର ପାଇ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ବିଧାୟକ ଯୁଗଳ ପଟ୍ଟନାୟକ, ନରେନ ପଲେଇ, ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଶୋକବ୍ୟକ୍ତ କରିଥିବାବେଳେ କଲେଇ ପଂଚାୟତର ସରପଞ୍ଚ ମିନାକ୍ଷୀ ପରିଡା, ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷା ଜ୍ୟୋସ୍ନା ରାଉତ, ଅଭିରାମ ସାହୁ, ଯୁବନେତା ତୁଷାରକାନ୍ତି ପରିଡା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ସ୍ୱର୍ଗତଃ ରାଉତ ନିଜ ଅଂଚଳରେ ବହୁ ସାମାଜିକ କାର୍ଯ୍ୟ କରିବା ମଧ୍ୟରେ ହାଇସ୍କୁଲ, ଦେବାଳୟ ଓ ଡାକ୍ତରଖାନା ସ୍ଥାପନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପରାଧୀନ ଭାରତ ବର୍ଷରେ ସେ ଓଡ଼ିଶାର ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବ ଓ ଭଦ୍ରକର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହନିଫ ବାବୁଙ୍କ ସଂସ୍ପର୍ଶରେ ଆସି ଦେଶ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ । ସେ ନିଜର ଜୀବଦ୍ଦଶା ପର୍ଯ୍ୟନ୍ତ ଏକାକୀ ନିଜ ଉଦ୍ୟମରେ ପଂଚାୟତରେ ସ୍ୱାଧୀନତା ଦିବସ ପାଳନ କରି ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେ ଆମ ରାଜ୍ୟର ଜଣେ ଆଗଧାଡିର କୃଷକ ନେତା ଭାବେ ଚାଷୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଆସିଛନ୍ତି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ତିନି ପୁତ୍ର, ପୁତ୍ରବଧୂ, ତିନି କନ୍ୟା, ପୁତୁରା ସାମ୍ବାଦିକ ପ୍ରମୋଦ ରାୟ, ଶିକ୍ଷାବିତ୍ ବାବୁଲା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।