Odiapua.com

ଭଦ୍ରକ – ସ୍ୱାଧୀନତା ସଂଗ୍ରାମୀଙ୍କ ଦେହାନ୍ତ

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବାସୁଦେବପୁର ବ୍ଲକର ତୁଳମତୁଳାର ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶାରଦା ପ୍ରସାଦ ରାୟ ଆଜି ୯୬ ବର୍ଷ ବୟସରେ ଅପରାହ୍ନ ଘ ୨.୧୫ମି ସମୟରେ ନିଜ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ମନୋଜ ପାତ୍ର, ବାସୁଦେବପୁର ତହସିଲଦାର ଅନୀତା ନାୟକ, ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବାସୁଦେବପୁର ଥାନାଧିକାରୀ ଅମିତ କୁମାର ଭୂୟାଁ ପ୍ରମୁଖ ସ୍ୱର୍ଗତ ରାୟଙ୍କ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସୂଚନାଯୋଗ୍ୟକି ଅଗଷ୍ଟ ୯ ରେ କ୍ରାନ୍ତି ଦିବସ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରତିବର୍ଷ ସ୍ୱାଧୀନତା ସଂଗ୍ରାମୀଙ୍କୁ ଦିଆଯାଉଥିବା ପୁରସ୍କାର ୨୦୨୧ ମସିହା ପାଇଁ ଭଦ୍ରକ ଜିଲ୍ଲାର ସ୍ୱର୍ଗତ ରାୟଙ୍କୁ ପ୍ରଦାନ କରାଯାଇଥିଲା। କରୋନା କଟକଣା ପାଇଁ ଏହି ପୁରସ୍କାରକୁ ସରକାରଙ୍କ ନିର୍ଦ୍ଦେଶମତେ ପୂର୍ବତନ ଜିଲ୍ଲାପାଳ ଜ୍ଞାନଦାସ ତାଙ୍କ ବାସ ଭବନକୁ ଯାଇ ଉକ୍ତ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କର ୪ ପୁଅ ଓ ୨ ଝିଅ ଓ ପରିବାର ବର୍ଗ ଅଛନ୍ତି। ସ୍ଥାନୀୟ ଗାଁ ଓ ବଜାର ପରିକ୍ରମା କରି ତାଙ୍କ ଜନ୍ମମାଟି ମଶାଣିରେ ଅନ୍ତେଷ୍ଟକ୍ରିୟା କରାଗଲା। ତାଙ୍କ ପୁତ୍ର ସୁବାସ ରାୟ ମୁଖାଗ୍ନି ଦେଇଥିଲେ।