Odiapua.com

ଭଦ୍ରକ – ସିପିଆଇ(ଏମ୍‌) ପକ୍ଷରୁ ବିକ୍ଷୋଭ

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ଦେଶର ବିକାଶ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର ଆଜି ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଉପରେ ଅତ୍ୟଧିକ ଟିକସ ଆଦାୟ କରି ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୫୯ ଟଙ୍କା ଟିକସ ଆଦାୟ କରିବାରୁ ପେଟ୍ରୋଲ ଲିଟର ୧୧୦ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୦ ଟଙ୍କା ଓ ଗ୍ୟାସ୍ ଦର ଏକ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ଏ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ପ୍ରତିବାଦ କରିବାରେ ଅଣହେଳା କରିବାରୁ ତାର ପ୍ରତିବାଦରେ ଆଜି ସିପିଆଇ(ଏମ୍‌) ଦଳ ପକ୍ଷରୁ ତେଜା ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ପ୍ରତିବାଦ ସଭା କଚେରୀ ବଜାର ଠାରେ ଅନୁଷ୍ଠିତ ହୋଇଛି। ଅଧିବକ୍ତା ରାଧା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଶ୍ରମିକନେତା ତଥା ଅଧିବକ୍ତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ନିରଂଜନ ପାଣି, ବିନୋଦ ସାହୁ, କାଳନ୍ଦୀ ପାତ୍ର, ପ୍ରହ୍ଲାଦ ପତି, ସେକ୍ ଭୁଟୋ, ମିର ମାଇନୁର, ବାମଦେବ ମିଶ୍ର, ରବି ଜେନା, ସେକ୍ ମୁସ୍ତାକିମ୍‌, ଦେବେନ୍ଦ୍ର ନାୟକ ପ୍ରମୁଖ ବକ୍ତବ୍ୟ ରଖି ଓଡ଼ିଶା ସମତେ ସମଗ୍ର ଭାରତବର୍ଷ ଜନଗଣଙ୍କ ଉପରେ କର ଟିକସ ବୃଦ୍ଧି ପାଇଥିବାରୁ ବସ୍‌ଭଡା ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିଥିବାରୁ ତାର ପ୍ରତିବାଦ କରିବାକୁ ନିବେଦନ କରିଥିଲେ। ଏବଂ ବିଧାନସଭାରେ ଏକ ପ୍ରମୁଖ ରାଜନୈତିକ ଦଳ ଭାବେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୌଣସି ପ୍ରତିବାଦ ନହେବାରୁ ବକ୍ତାମାନେ ସରକାରଙ୍କ ଦୋମୁହାଁ ନୀତିକୁ କଟୁ ସମାଲୋଚନା କରିଥିଲେ।