ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଭଦ୍ରକ ସହରକୁ ଏକ ସ୍ୱଚ୍ଛ, ସୁନ୍ଦର, ଆଧୁନିକ ଓ ଜନବନ୍ଧବ ସହରରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଭଦ୍ରକ ବାଇପାସ ଛକଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସହର ସୌନ୍ଦର୍ଯ୍ୟକରଣ ଓ ନାଗରିକ ସୁବିଧା ବୃଦ୍ଧି ସହ ଜଡିତ ୬ଟି ବିକାଶମୂଳକ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ଦୃଷ୍ଟିକୋଣକୁ ସାକାର କରିବା ସହ ଭଦ୍ରକ ସହରର ଭିତ୍ତିଭୂମି ଓ ସହରୀ ବିକାଶକୁ ନୂଆ ଦିଗ ପ୍ରଦାନ କରିବ ବୋଲି କୁହାଯାଇଛି।ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲୀପ ରାଉତ ରାୟଙ୍କ ସମେତ ବହୁ ଜନପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସାମାଜିକ ସଂଗଠନର ସଦସ୍ୟ ଓ ବହୁ ସଂଖ୍ୟକ ସାଧାରଣ ଜନତା ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଉଦ୍ୱୋଧନ ଦେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପ୍ରତ୍ୟେକ ସହରକୁ ଯୋଜନାବଦ୍ଧ ଭାବେ ବିକଶିତ କରିବା ପାଇଁ କାମ କରୁଛନ୍ତି। ଭଦ୍ରକର ସାମଗ୍ରିକ ବିକାଶ, ସୌନ୍ଦର୍ଯ୍ୟକରଣ, ଉନ୍ନତ ସଡ଼କ ବ୍ୟବସ୍ଥା, ଜନସାଧାରଣଙ୍କ ପାଇଁ ଆଧୁନିକ ସୁବିଧା ଓ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହି ୬ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ସହରର ରୂପରେଖାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବା ସହ ନାଗରିକମାନେ ଅଧିକ ଉନ୍ନତ ସୁବିଧା ପାଇପାରିବେ ବୋଲି ସେ କହିଥିଲେ।ସାଂସଦ ଅଭିମନ୍ୟୁ ସେଠୀ କହିଥିଲେ ଯେ, ଭଦ୍ରକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଜାରି ରହିଛି। ସହରର ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଯାତ୍ରାର ମାନ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଉଛି।ଭଦ୍ରକ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ସିତାଂଶୁ ଶେଖର ମହାପାତ୍ର କହିଥିଲେ ଯେ, ଭଦ୍ରକକୁ ଏକ ଆଧୁନିକ, ସୁନ୍ଦର ଓ ଯୋଜନାବଦ୍ଧ ସହରରେ ପରିଣତ କରିବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ମଧ୍ୟ ସହରର ବିକାଶ ପାଇଁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ।ଜିଲ୍ଲାପାଳ ଦିଲୀପ ରାଉତ ରାୟ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ଓ ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ସାଧାରଣ ଲୋକ ଏହି ବିକାଶମୂଳକ ପଦକ୍ଷେପକୁ ସ୍ୱାଗତ କରିଥିଲେ। ସେମାନଙ୍କ ମତରେ, ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ଭଦ୍ରକ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଯାତାୟାତ, ପରିବେଶ ଓ ନାଗରିକ ସୁବିଧାରେ ବ୍ୟାପକ ସୁଧାର ଆସିବ।”ଭଦ୍ରକ ବିକଶିତ ହେଲେ ଓଡ଼ିଶା ବିକଶିତ ହେବ” ଏହି ବାର୍ତ୍ତା ସହ କାର୍ଯ୍ୟକ୍ରମରେ ବିକଶିତ ଭଦ୍ରକ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଓ ଅଂଶଗ୍ରହଣର ଆହ୍ୱାନ ଦେଇଥିଲେ ଉପସ୍ଥିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ।