Odiapua.com

ଭଦ୍ରକ ସହରାଂଚଳ ପୁଲିସ୍‌ର ସଫଳତା, ଧରାପଡିଲେ ଦୁଇ ବାଇକ୍ ଚୋର, ୧୨ ବାଇକ୍ ଜବତ

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଂଚଳ ପୁଲିସ୍‌କୁ ମିଳିଛି ବଡ ସଫଳତା । ବିଭିନ୍ନ ସମୟରେ ସହରରେ ଚୋରି ହୋଇଥିବା ବାଇକ୍ ସମେତ ୨ ଚୋରଙ୍କୁ ଗିରଫ କରିଛି ପୁଲିସ୍ । ଏହି ଚୋରମାନେ ବାଇକ୍ ଗୁଡିକୁ ଚୋରି କରିବା ପରେ ନମ୍ବର ପ୍ଲେଟ୍‌କୁ କାଢି ନିଜ ଚୋର ବୁଦ୍ଧିରେ ବାହାର ରାଜ୍ୟକୁ ଚାଲାଣ କରିବାକୁ ଉଦ୍ୟମ କରୁଥିଲେ । ଏ ସଂପର୍କରେ ଭଦ୍ରକ ସହରାଂଚଳ ଥାନାରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟ ଅନୁସାରେ ଗତ ୧୪ ମଇରେ ଭଦ୍ରକ ଚିକିତ୍ସାଳୟ ପରିସରରୁ ଗୋଟିଏ ବାଇକ୍ ଚୋରିର ରିପୋର୍ଟ ହୋଇଥିଲା ସହରାଂଚଳ ଥାନାରେ । ଏହି ମାମଲାର ତଦନ୍ତ ବେଳେ ପୁଲିସ୍ ୨ ଜଣ ବାଇକ୍ ଚୋରଙ୍କୁ ଧରିବାରେ ସଫଳ ହୋଇଥିଲା । ତେବେ ଅଧିକ ତଦନ୍ତ ପରେ ବିଭିନ୍ନ ସ୍ଥାନରୁ ୧୨ଟି ଚୋରି ବାଇକ୍ ଠାବ କରିଥିଲା ପୁଲିସ୍ । ଏହି ୨ ବାଇକ୍ ଚୋର ମଧ୍ୟରେ ଜଣେ ଧାମନଗର ଥାନା ଅଂଚଳର ପଳିକିରୀ ଗ୍ରାମର ସୁରେଶ ରାଉତଙ୍କ ପୁଅ ଓମ୍‌ପ୍ରକାଶ ହୋଇଥିବାବେଳେ ଅନ୍ୟଜଣେ ତିହିଡି ଥାନା ଅଧୀନସ୍ଥ କୋଚ ଗ୍ରାମର ଗୟାଧର ଜେନାଙ୍କ ପୁତ୍ର ରବିନାରାୟଣ । ଏମାନଙ୍କୁ ପୁଲିସ୍ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅନୁରୂପ ଗତ ୨ ଦିନ ଭିତରେ ଚରମ୍ପା ଅଂଚଳର ୩ଟି ସ୍ଥାନରୁ ସିରିଜ୍ ଚୋରିକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ସିଟି ଡିଏସ୍‌ପି ଶ୍ରୀ ଦ୍ୱିବେଦୀ ସ୍ୱତନ୍ତ୍ର ଭାବେ ଉକ୍ତ ଚୋରି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଗୁଇନ୍ଦା ବିଭାଗ ରଖିôଥବାବେଳେ ଯଥାଶୀଘ୍ର ସେମାନଙ୍କୁ ଧରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ବାଇକ୍ ଚୋରି ଗ୍ୟାଙ୍ଗକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଯେଉଁଥିରେ ଥାନାଧିକାରୀଙ୍କ ତତ୍ୱାବଧାନରେ ଏଏସ୍‌ଆଇ ଦିଲ୍ଲୀପ ମୁର୍ମୁ, ଏଏସ୍‌ଆଇ ଆଶିଷ ସେନାପତି ଓ ଆଉ ଜଣେ ଏଏସ୍‌ଆଇ ସମେତ ଜଣେ କନେଷ୍ଟବଳ ସାମିଲ ଥିଲେ । ଦୁଇ ଚୋରଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।