Odiapua.com

ଭଦ୍ରକ ସହରର ମୁଖ୍ୟନାଳ ଉପରେ ବେଆଇନ ଗୃହ ନିର୍ମାଣ , ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଭଦ୍ରକ ଜିଲ୍ଲା ନାଗରିକ ସମାଜର ଦାବୀ

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଉଦ୍‌ବୃତ୍ତ ପାଣି ନିଷ୍କାସନ ପାଇଁ ବ୍ୟବହାର ହୋଇ ଆସୁଥିବା ମୁଖ୍ୟନାଳ ଉପରେ କଚେରୀ ବଜାର ପରିବା ମାର୍କେଟ ନିକଟରେ ପୁରୁଣା ସୁଲଭ ଶୌଚାଳୟର ଉତ୍ତରକୁ ନାଳ ଅବରୋଧ କରି ଏକ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଅଛି । ଉକ୍ତ ନାଳ ବାଗୁରାଇ ଠାରୁ ବାହାରି ବନ୍ତ ଛକଠାରେ ଜାତୀୟ ରାଜପଥକୁ ଅତିକ୍ରମ କରି ସାଳନ୍ଦୀ ନଦୀ ସହିତ ମହିଳା ମହାବିଦ୍ୟାଳୟ ନିକଟରେ ମିଶିଅଛି । ଉପର ବାଗୁରାଇ, ମଣିସାହି ଓ ଡି.ଆର୍‌.ଡି.ଏ. ଅଫିସ ଠାରୁ ବନ୍ତ ଛକ ମଧ୍ୟରେ ନିର୍ମିତ କଲୋନୀ, ନେହେରୁ ଷ୍ଟାଡିୟମ ଓ ବୁଦ୍ଧନଗରରୁ କଚେରୀ ବଜାର ଅଞ୍ଚଳର ସମସ୍ତ ଉଦ୍‌ବୃତ୍ତ ବର୍ଷାଜଳ ଉକ୍ତ ନାଳ ଦେଇ ପ୍ରବାହିତ ହୋଇଥାଏ । ଉକ୍ତ ନାଳ କେତେକ ସ୍ଥାନରେ ସଂକୁଚିତ ହୋଇଥିବାରୁ ତାହା ଦ୍ୱାରା ବିଭିନ୍ନ ଜନବସତିରେ ରାସ୍ତାଘାଟ ବୁଡିବା, ଘରେ ପାଣି ପଶିବା ଆଦି ବିଭିନ୍ନ ସମସ୍ୟା ବର୍ଷା ଦିନେ ସୃଷ୍ଟି ହୋଇଥାଏ । ଉକ୍ତ ନାଳକୁ ଅବରୋଧ କରି ଏକ ବେଆଇନ ଗୃହ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଯାହାକୁ ଭଦ୍ରକ ଜିଲା ନାଗରିକ ସମାଜ ବିରୋଧ କରିବା ସହ ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଏକ ଦାବୀପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛି । ପ୍ରାୟ ୨ ବର୍ଷ ତଳେ ନାଳକୁ ଅବରୋଧମୁକ୍ତ କରିବା ନିମନ୍ତେ ଜିଲାପାଳଙ୍କ ପୌରୋହିତ୍ୟରେ ସହରର ଲାଇନ ଡିପାର୍ଟମେଣ୍ଟ, ପୌରପାଳିକା ଅଧିକାରୀ, ତତ୍‌କାଳୀନ ବିଧାୟକ ଓ ଉକ୍ତ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ନାଳ ସମେତ ସହରର ବିଭିନ୍ନ ନାଳକୁ ପରିଷ୍କାର କରିବା ନିମନ୍ତେ ନିଷ୍ପତି ନିଆ ଯାଇଥିଲା । କିନ୍ତୁ ଦୀର୍ଘ ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ନାଳର କୌଣସି ଉନ୍ନତି କରାଯାଇ ନାହିଁ । ଅପରପକ୍ଷରେ ସରକାରୀ ସ୍ତରରେ ଉକ୍ତ ନାଳକୁ ସଂକୁଚିତ କରିବା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ନାଳକୁ ଅବରୋଧ କରି ଚାଲିଥିବା ଉକ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଦୂରଦୃଷ୍ଟି ବିହୀନ ଓ ଏହା ଭବିଷ୍ୟତରେ ଭଦ୍ରକ ସହର ପ୍ରତି ବିପଦ ସୃଷ୍ଟି କରିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ତୁରନ୍ତ ଗୃହ ନିର୍ମାଣ ବନ୍ଦ କରି ଭଦ୍ରକ ସହରବାସୀଙ୍କୁ ରକ୍ଷା କରିବାକୁ ସଭାପତି ଶାନ୍ତନୁ ରାଉତ, ସମ୍ପାଦକ ଆଇନଜୀବୀ ତୁଷାରକାନ୍ତି ମହାନ୍ତି, ବୈଷୟିକ କମିଟି ଅଧ୍ୟକ୍ଷ ଇଂ ଅଖିଳ ମୋହନ ପାଢୀ, ସଦସ୍ୟ ଇଂ ହରିଶ ଦାସ, ଡାକ୍ତର ହରେକୃଷ୍ଣ ନାୟକ, ଏସ୍‌.ଏମ୍‌. ଫାରୁକ, ଲଲାଟେନ୍ଦୁ ମହାନ୍ତି, ଆଇନଜୀବୀ ଦିବ୍ୟସିଂହ ନାୟକ ପ୍ରମୁଖ ଦାବୀ ଜଣାଇ ଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି ।