Odiapua.com

ଭଦ୍ରକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇଦିନଧରି ଅନୁଷ୍ଠିତ ବାର୍ଷିକ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ବାଇପାସ ଛପୁଲିଆସ୍ଥିତ ନୂତନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉଦ୍‌ଯାପନ ଉତ୍ସବରେ ବିଦ୍ୟାଳୟ ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ହୃଷିକେଶ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ହାଟଡିହି, କେନ୍ଦୁଝରର ସୌମ୍ୟଶ୍ରୀ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଅମୂଲ୍ୟ ପ୍ରସାଦ ନାୟକ, ସଭାପତି, ପୂର୍ବୋତ୍ତର ସମ୍ଭାଗ, ଶିକ୍ଷା ବିକାଶ ସମିତି ଯୋଗଦେଇଥିବାବେଳେ ବିଦ୍ୟାଳୟର ସମ୍ପାଦକ ତଥା ଆଇନ୍‌ଜୀବୀ ସନ୍ତୋଷ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭାଗବତ ମହାଳିକ ସ୍ୱାଗତ ଭାଷଣ ଏବଂ ସିଆରସିସି ତଥା ପରିଚାଳନା କମିଟିର ସଦସ୍ୟ ରଶ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ବ୍ୟବସାୟ ତଥା ସମାଜସେବୀ ପ୍ରମୋଦ ଲାଖାନୀ ଓ ତାଙ୍କର ଧର୍ମପତ୍ନୀ ସିଲୁ ଲାଖାନୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଗୁରୁମା ଜୟଶ୍ରୀ ମହାନ୍ତି ପରିଚାଳନା କରିଥିବାବେଳେ ବିଦ୍ୟାଳୟର କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତି, ବରିଷ୍ଠ ଗୁରୁଜୀ ସୀତାକାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରୀଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।