Odiapua.com

ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ମୋ ସ୍କୁଲ ଉତ୍ସବ

ଭଦ୍ରକ, ୮ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟାଳୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜ୍ଞାପନ ପତ୍ର ବଣ୍ଟନ ପ୍ରଦାନ ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟରେ ମୋ ସ୍କୁଲ ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ (ପୂର୍ବତନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ) ପରିସରରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଛାତ୍ରୀଙ୍କ ଉପସ୍ଥିତିରେ ମୋ ସ୍କୁଲ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୋ ସ୍କୁଲ ଅଭିଯାନର ସଭାପତି ଅଞ୍ଜନା ମିଶ୍ର, ସଂପାଦକ ସ୍ନେହଲତା ବେହେରାଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ପ୍ରାରମ୍ଭରେ ପ୍ରଧାନଶିକ୍ଷକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଞ୍ଜନା ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ ଓ ସଂଘମିତ୍ରା ବଳ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଏହି ଅବସରରେ ମନୋଜ ସାହୁଙ୍କ ପରିଚାଳନାରେ ପୁରାତନ ଛାତ୍ରୀ ଅଞ୍ଜନା ମିଶ୍ର, ସ୍ନେହଲତା ବେହେରା, ସୁଚିତ୍ରା ପାଣିଗ୍ରାହୀ, ଡା. ଭାଗ୍ୟଶ୍ରୀ ପଣ୍ଡା, ପୁଷ୍ପଲତା ବେହେରା, ଶାନ୍ତିଲତା ନାୟକ, ବିନ୍ଦିଆ ସାହୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ପ୍ରଜ୍ଞା ପରିମିତା ବଳ, ପ୍ରଭାତୀ ଜେନା, ଲିପ୍ସା ନାୟକ, ଜୟନ୍ତୀ ନାୟକ, ଶାନ୍ତନା ପଣ୍ଡା, ବୀଣାପାଣି ପଣ୍ଡା, ଡା. ପ୍ରତିମା ମିଶ୍ର, ଲିନା ବଳିଆରସିଂ, ଅସିମା ଖୁଣ୍ଟିଆ, ମନିସା ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ମାନପତ୍ର ପ୍ରଦାନ କରାଯାଇଥିଲା । ଡା. ଭାଗ୍ୟଶ୍ରୀ ପଣ୍ଡା, ଶାନ୍ତିଲତା ନାଗଙ୍କ ସମେତ ବହୁ ପୁରାତନ ଛାତ୍ରୀ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିବା ସହ ବିଦ୍ୟାଳୟର ଉନ୍ନତିକରଣରେ ଅର୍ଥ ତଥା ସେବା ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀଙ୍କ ସମେତ ବିଦ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।