Odiapua.com

ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆର୍ନ୍ତଜାତୀୟ ଓଜୋନ୍ ଦିବସ ପାଳିତ ଓ ପ୍ରାଚୀର ପତ୍ରିକା ଉନ୍ମୋଚିତ

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୀବଜଗତ ଉପରେ ସୂର୍ଯ୍ୟଙ୍କର ଅତି ବାଇଗଣି ରଶ୍ମିର କୁପ୍ରଭାବ ରହିିଛି ଓ ଏହାକୁ ପ୍ରତିହତ କରିବା ପାଇଁ ଓଜୋନ୍ ସ୍ତରର ଭୂମିକା ଗୁରୁତ୍ୱପୂର୍ଣ୍ଣ ।୧୮୬୭ ମସିହରେ ଓଜୋନ୍ ଅଣୁ ଆବିଷ୍କୃତ ହେବା ପରେ ଓ ଏହାର କୁପ୍ରଭାବ ଜଣାପଡିବା ପରେ ୧୯୯୪ ମସିହାରୁ ମିଳିତ ଜାତିସଂଘ ଦ୍ୱାରା ସେପ୍ଟେମ୍ବର ୧୬କୁ ଓଜୋନ୍ ଦିବସରୁପେ ପାଳନ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରବାସହ ଓଜୋନ୍ ସ୍ତରର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ।ଫ୍ରିଜ୍‌, ଶିତତାପ ନିୟନ୍ତ୍ରଣ ଯନ୍ତ୍ର ଓ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟରୁ ନିର୍ଗତ କ୍ଲୋରୋଫ୍ଲୋରୋ କାର୍ବନ ଗ୍ୟାସ ଓଜୋନ୍ ସ୍ତରରେ ରନ୍ଧ୍ର ସୃଷ୍ଟି କରିଥାଏ । ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ(ପୂର୍ବତନ-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଭଦ୍ରକ) ପରିସରରେ ଆନ୍ତର୍ଜାତୀୟ ଓଜୋନ୍ ଦିବସ ପାଳନ ଅବସରରେ ବକ୍ତାମାନେ ଏହା ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ମନୋଜ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବରେ ଉପ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ,ସମ୍ମାନିତ ଅତିଥି ଭାବରେ ସମାଜସେବୀ ପଙ୍କଜ ବଳ ଯୋଗଦେଇଥିଲେ ।ବିଦ୍ୟାଳୟର ଛାତ୍ରୀ ଅର୍ଚ୍ଚିତା ଖୁଂଟିଆ ଓ ବିମଳା ଖୁଂଟିଆ ବକ୍ତବ୍ୟ ରଖି ଓଜୋନ୍ ସ୍ତରର ସୁରକ୍ଷାନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରାଚୀର ପତ୍ରିକା ସୃଜନିକା ଓ କଳା ପ୍ରଦର୍ଶନୀ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସ୍ୱଚ୍ଛତା ପକ୍ଷପାଳନ ଅବସରରେ ପରିବେଶକୁ ସ୍ୱଚ୍ଛ ରଖିବାରେ ବିଶେଷ ଅବଦାନ ପାଇଁ ବିଜୟ ନାୟକଙ୍କୁ ଅତିଥି ମାନଙ୍କ କରକମଳରେ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧତ କରାଯାଇଥିଲା । ଶିକ୍ଷକ ବିଜୟ ବେହେରା ଧନ୍ୟବାଦ ପ୍ରସ୍ତାବ ରଖିଥିବାବେଳେ ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହେଯାଗ କରିଥିଲେ ।