Odiapua.com

ଭଦ୍ରକ ସଦର ମହକୁମାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ରତ୍ନ ବାବାସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କ ୬୬ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅଲ୍ ଓଡ଼ିଶା ଏସ.ସି ଏବଂ ଏସ.ଟି ଆଡ଼ଭୋକେଟ୍ ଆସୋସିଏସନ୍‌, ଭଦ୍ରକ ଶାଖା ତରଫରୁ ଭଦ୍ରକ ବାର୍ ଆସୋସିଏସନ୍ (ପୁରୁଣା କୋର୍ଟ)ହଲ୍‌ରେ ଆଇନଜୀବୀ ଅଗଣି ଚରଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହିବା ସହ ଅତିଥି ଭାବେ ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ଉକ୍ତ ସଭାରେ ଆଇନଜୀବୀ ବିନୋଦ କୁମାର ସାହୁ, ଉଜ୍ଜଳ କୁମାର ଜେନା, ବିଚିତ୍ରାନନ୍ଦ ଜେନା, ଅମର କୁମାର ବାରିକ୍‌, ପ୍ରଦୀପ କୁମାର ଜେନା (ମଣ୍ଟୁ), ଦେବେନ୍ଦ୍ର କୁମାର ଦାସ ଏବଂ ସମାଜସେବୀ ପ୍ରକାଶ କୁମାର ସାହୁ ଆଲୋଚନାରେ ଭାଗ ନେଇ ବାବାସାହେବ ଡ.ଆମ୍ବେଦକରଙ୍କ ବହୁମୂଖୀ ପ୍ରତିଭା ବିଷୟରେ ଆଲୋକପାତ କରିଥିଲେ।

ଡ.ଆମ୍ବେଦକର କେବଳ ଯେ ଭାରତର ସମ୍ବିଧାନ ରଚନା କରିଥିଲେ ତାହା ନୁହେଁ, ସେ ଏକାଧାରରେ ଥିଲେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରବୀଣ ଅର୍ଥନୀତିଜ୍ଞ, ଜଣେ ନୃତତ୍ୱବିତ୍‌, ବିଶିଷ୍ଟ ଆଇନଜୀବି ଓ ସର୍ବୋପରି ସେ ଥିଲେ ଦଳିତର ତ୍ରାଣକର୍ତ୍ତା ଓ ସମାଜ ସଂସ୍କାରକ। ସମାଜର ତଳେ ପଡିଥିବା ଲୋକମାନଙ୍କୁ ଉଠେଇବା ପାଇଁ ସମ୍ବିଧାନରେ ଅନେକ ଗୁଡ଼ିଏ ସୁବିଧା ସୁଯୋଗ ରଖିଦେଇ ଯାଇଛନ୍ତି। ଡ.ଆମ୍ବେଦକର ସ୍ୱାଧୀନ ଭାରତର ପ୍ରଥମ ଆଇନ୍ ମନ୍ତ୍ରୀ ଏବଂ ସମ୍ବିଧାନର ରଚୟିତା ହୋଇଥିଲେ ହେଁ ରାଜ୍ୟରେ କୌଣସି ସରକାରୀ ଦପ୍ତରରେ ତାଙ୍କର ଫଟୋ ନଥିବା ଯୋଗୁଁ ସଭାରେ କ୍ଷୋଭ ପ୍ରକାଶ ପାଇବା ସଂଗେ ସଂଗେ ଏ ବିଷୟରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ନିଷ୍ପତ୍ତି ନିଆଗଲା। ସାଧାରଣ ନାଗରିକ ସମ୍ବିଧାନ ବିଷୟରେ କିଛି ଜାଣିପାରୁ ନଥିବାରୁ ତାହାକୁ ଓଡ଼ିଆ ଭାଷାରେ ଅନୁବାଦ କରି ସରକାରଙ୍କ ତରଫରୁ ମାଗଣାରେ ଜନସାଧାରଣଙ୍କ ମଧ୍ୟରେ ବିତରଣ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାପାଇଁ ନିଷ୍ପତ୍ତି ନିଆଗଲା। ଏତଦ୍ ଭିନ୍ନ ଭଦ୍ରକ ଜିଲ୍ଲା ସଦର ମହକୁମାରେ ବାବାସାହେବ ଡ.ଭୀମରାଓ ଆମ୍ବେଦକରଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା କରିବାପାଇଁ ଜିଲ୍ଲାପାଳଙ୍କୁ ଭେଟିବାକୁ ସ୍ଥିରକରାଗଲା। ସର୍ବଶେଷରେ ଆଇନଜୀବୀ ପ୍ରଦୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।