Odiapua.com

ଭଦ୍ରକ ସଂସଦୀୟ କ୍ଷେତ୍ରରେ ଦିବ୍ୟାଙ୍ଗଙ୍କୁ କୃତିମ ଯନ୍ତ୍ରପାତି ଓ ଉପକରଣ ପ୍ରଦାନ ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀଙ୍କୁ ସାକ୍ଷାତ୍ କଲେ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂସଦୀୟ କ୍ଷେତ୍ରରେ ଭଦ୍ରକ ଜିଲାର ୫ ଗୋଟି ନିର୍ବାଚନ ମଣ୍ଡଳୀ ଓ ବାଲେଶ୍ୱର ଜିଲାର ୨ ଗୋଟି ନିର୍ବାଚନ ମଣ୍ଡଳୀ (ସୋରୋ ଓ ସିମୁଳିଆ) ରେ ବସବାସ କରୁଥିବା ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି କୃତ୍ରିମ ଯନ୍ତ୍ରପାତି ଓ ଉପକରଣ ପ୍ରଦାନ ପାଇଁ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ପାର୍ଲିଆମେଣ୍ଟରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡ. ବିରେନ୍ଦ୍ର କୁମାରଙ୍କୁ ସାକ୍ଷାତ୍ କରି ଆଲୋଚନା କରିଛନ୍ତି। ପ୍ରକାଶ ଥାଉକି ଉକ୍ତ ଦାବି ପାଇଁ ଗତ ସାଂସଦ ଅଧିବେଶନରେ ପତ୍ର ମାଧ୍ୟମରେ ମନ୍ତ୍ରୀଙ୍କୁ ଜଣାଇଥିଲେ। ଆଜି ସବିଶେଷ ଆଲୋଚନାରୁ ମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଭଦ୍ରକ ସଂସଦୀୟ କ୍ଷେତ୍ରର ବାଲେଶ୍ୱର ଓ ଭଦ୍ରକର ଦୁଇ ଜିଲାପାଳଙ୍କୁ ଯଥାଶୀଘ୍ର ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ଆବଶ୍ୟକୀୟ କୃତିମ ଯନ୍ତ୍ରପାତି ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳ ଓ ମନ୍ତ୍ରାଳୟ ଦ୍ୱାରା ବିଭିନ୍ନ ବ୍ଲକ୍‌ରେ ଉକ୍ତ ଚିହ୍ନଟ ପ୍ରକ୍ରିୟା ସମାପ୍ତ ହୋଇ ଏକ ମେଳା କାର୍ଯ୍ୟକ୍ରମରେ ସଂପୃକ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଆବଶ୍ୟକୀୟ ଯନ୍ତ୍ରପାତି ଆବଣ୍ଟନ କରାଯିବ। କାନପୁରଠାରେ ଥିବା ଭାରତ ସରକାରଙ୍କ କୃତିମ ଯନ୍ତ୍ରପାତି ନିର୍ମାଣ ସଂସ୍ଥାକୁ ଖୁବ୍ ଶୀଘ୍ର ଯୋଗାଇଦେବା ପାଇଁ ମନ୍ତ୍ରାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାଋତୁ ପରେ ଜିଲା ପ୍ରଶାସନଙ୍କ ଦ୍ୱାରା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ମେଳା ମାଧ୍ୟମରେ ଖୁବ୍ ଶୀଘ୍ର ଯୋଗ୍ୟ ହିତାଧିକାରୀମାନଙ୍କୁ ଆବଶ୍ୟକୀୟ ଯନ୍ତ୍ରପାତି ଓ ଉପକରଣ ବଣ୍ଟନ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀଙ୍କୁ ସାଂସଦ ଶ୍ରୀମତୀ ମଣ୍ଡଳ ପ୍ରତିଶ୍ରୁତି ଦେଇ ଧନ୍ୟବାଦ ଜଣାଇଥିଲେ। ଏହି ଆଲୋଚନା ସମୟରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ।