ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭୂଖଣ୍ଡ ସଂଗ୍ରାମ, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଅପୂର୍ବ ମିଳନ ସ୍ଥଳ। ଏହି ମାଟିରେ ହୋଇଥିବା ସ୍ୱାଧୀନତା ସଂଗ୍ରାମର ରକ୍ତଭିଜା ବଳିଦାନ ଓ ବୀରତ୍ୱର ଅପୂର୍ବଗାଥା ଯେପରି ଇତିହାସର ସ୍ମରଣୀୟ ଅଧ୍ୟାୟ ହୋଇରହିଛି ସେପରି ଏହି ମାଟିର ସାରସ୍ୱତ ସାଧକ ମାନେ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ ଓ ନାଟକ ଜଗତରେ କାଳଜୟୀ ସୃଷ୍ଟି କରିଛନ୍ତି। ଏହି ମାଟିର ରାଜନୈତିକ ବ୍ୟକ୍ତିତ୍ୱ ନୂତନ ଓଡିଶା ନିର୍ମାଣ ହେବା ସହିତ ଓଡିଶା ରାଜନୀତିର ନେତୃତ୍ୱ ମଧ୍ୟ ନେଇଛନ୍ତି। ଏଣୁ ଭଦ୍ରକ ମାଟିର ଗୌରବ ଗୀତିକାକୁ ଲୋକ ଲୋଚନକୁ ଆଣିବା ପାଇଁ ମହୋତ୍ସବ ଓ ପୁସ୍ତକ ମେଳା ଏକ ବଳିଷ୍ଠ ମାଧ୍ୟମ ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଉଦଯାପନୀ ସଂଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବ ଓ ପୁସ୍ତକ ମେଲର ସଭାପତି ଇଂ ଅଭୟ ସୁତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ ସଂଧ୍ୟାରେ ଭଦ୍ରକର ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି, ଭଦ୍ରକର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ବିଶିଷ୍ଟ ଅତିଥି ଭାବେ ଯୋଗ କରିଥିଲା ବେଳେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ର. ରାମଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ସାରସ୍ୱତ ସାଧକ ଡ. ସୁରେନ୍ଦ୍ର ପ୍ରସାଦ ମହାନ୍ତି, ଓଡିଶା ସରକାରଙ୍କ ହସ୍ତଶିଳ୍ପ ବିଭାଗ ସହକାରୀ ନିର୍ଦେଶକ ଅରୁଣ କୁମାର ମଣ୍ଡଳ, ଓଡ଼ିଡ଼ି ତଥା ଓରିଏଌକ୍ଷଗ୍ଧ; ପବ୍ଲିଶର୍ସର ମନୋରଞ୍ଜନ ଦାଶ, ଯୁବନେତା ସୂର୍ଯ୍ୟ ନାରାୟଣ ଦାସ, ସମାଜ ସେବୀ ଆଶିଷ କୁମାର ରାଉତ, ଉତ୍ସର୍ଗ ସଂଗଠନର ସଭାପତି ଅପୂର୍ବ ରଂଜନ ବେହେରା ବରେଣ୍ୟ ଅତିଥି, ଅବସର ପ୍ରାପ୍ତ ଅଧ୍ୟାପକ ମାଧବ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଡ଼. ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଅଷ୍ଟାବକ୍ର ଗୀତା ଓ ମୋହନ ଚରଣ ଖିଲାରଙ୍କ ନୀଡହରା ପକ୍ଷୀଣି ପୁସ୍ତକ ଲୋକାର୍ପିତ ହୋଇଥିଲା। ସଂଠନର ସଂପାଦକ ରବିନାରାୟଣ ଖିଲାର ସ୍ୱାଗତ ଭାଷଣ, ଆବାହକ ନୀହାର ରଂଜନ କର ଅତିଥି ପରିଚୟ ଦେଇଥିଲେ। ରାମଚନ୍ଦ୍ର ପଣ୍ଡା, ରାମନାରାୟଣ ମହାନ୍ତି, ସଂଗ୍ରାମୀ, ଭାଗବତ ସାହୁ ସ୍ମୃତି ସମ୍ମାନ, ବାଇଚଢ଼େଇ ସଂପାଦକ ବିକାଶ କୁମାର ଶତପଥୀ, ପାଲାଗାୟକ ପ୍ରଶାନ୍ତ କୁମାର ବେହେରା ଓ ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ସଂଗ୍ରାମମୀ କମଳା ପ୍ରସାଦ କର ସ୍ମ୍ୟତି ସମ୍ମାନ ସମାଜସେବୀ ନୃସିଂହ ଚରଣ ଖିଲାର, ସାହିତ୍ୟିକ ଦୟାନିଧି ବେହୁରା, ସମାଜସେବୀ ସହଦେବ ସାହୁ, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ପ୍ରକୃତି ବଂଧୁ ବୈକୁଣ୍ଠ ବିଶ୍ୱାଳ ପ୍ରମୁଖଙ୍କୁ ମହୋତ୍ସବ ଓ ପୁସ୍ତକମେଳା ସମ୍ମାନ ଦିଆଯାଇଥିଲା। ଜାନକୀ ପାଢ଼ୀ, ମନୋରମା ରାୟ, ଚୈତାଳୀ ଖିଲାର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ସମାଜ ସେବୀକା କଳ୍ପନା ଜୋ ଓ ରଶ୍ମିତା ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।