Odiapua.com

ଭଦ୍ରକ ରୋଟାରୀ କ୍ଲବ୍‌ର ୫୩ତମ ଅଧିଷ୍ଠାନ ଉତ୍ସବ

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଟାରୀ କ୍ଲବ୍ ଭଦ୍ରକର ୫୩ତମ ଅଧିଷ୍ଠାନ ଉତ୍ସବ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟଅତିଥି ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ଓ ସମ୍ମାନିତ ଅତିଥି ଆସିଷ୍ଟାଂଟ ଗଭର୍ଣ୍ଣର ବିଶ୍ୱପ୍ରକାଶ ଭଟ୍ଟଚାର୍ଯ୍ୟ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ରୋଟାରୀ ବର୍ଷ ୨୦୨୩-୨୪ ର କ୍ଲବ୍ ସଭାପତି ପ୍ରଣବ କୁମାର ସାହୁଙ୍କ ସଭାପତିତ୍ୱ ଓ ଚେୟାରମେନ୍ ଅମ୍ବିକା ବଲ୍ଲଭ ସ୍ୱାଇଁଙ୍କ ପରିଚାଳନାରେ ଜାତୀୟ ସଂଗୀତ ଗାନ ସହିତ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ରୋଟାରୀ ଡିଷ୍ଟ୍ରିକ୍ଟ ଆଡଭାଇଜର ଇନ୍ଦ୍ରଜିତ ସାହୁ ଓ ଡିଷ୍ଟ୍ରିକ୍ ଜୋନାଲ ଚେୟାରମେନ୍ ବିକାଶ ରଂଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସହ ସଂପାଦକ ବସନ୍ତ ସାମଲ ବିଗତ ରୋଟାରୀ ବର୍ଷର କାର୍ଯ୍ୟ ବିବରଣୀ ପାଠ କରିଥିଲେ । ରୋଟାରୀ ବର୍ଷ ୨୦୨୪-୨୫ ପାଇଁ ସଭାପତି ସନ୍ତୋଷ କୁମାର ନାୟକଙ୍କୁ ପୂର୍ବ ସଭାପତି ପ୍ରଣବ ସାହୁ କଲାର ପ୍ରଦାନ ପୂର୍ବକ ଦାୟିତ୍ୱ ଅର୍ପଣ କରିଥିଲେ । ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ନୂତନ ସଭାପତି ଓ ସଂପାଦିକା ସାୟନ୍ତା ସୌରମାଲିନି ସାହୁଙ୍କୁ ମୁକୁଟ ପ୍ରଦାନ ସହିତ ଶପଥ ପାଠ କରାଇ ଅଧିଷ୍ଠିତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଦିବସବ୍ୟାପୀ ବୃକ୍ଷରୋପଣ, ଅସହାୟ ଗରିବ ବସ୍ତି ପିଲାମାନଙ୍କୁ ଶିକ୍ଷା ନିମନ୍ତେ ସହାୟତା ଓ ଦୁଇଜଣ ଅତ୍ୟନ୍ତ ଗରିବ ବ୍ୟକ୍ତିଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଦୁଇଗୋଟି ଉନ୍ନତ ମାନର ୪୫ ଶହ ଟଙ୍କାରେ ନିର୍ମିତ ବ୍ୟବସାୟିକ ଟ୍ରଲି ପ୍ରଦାନ କରି ସ୍ୱାବଲମ୍ବୀ ହେବାକୁ ପ୍ରେରଣା ଯୋଗାଇବା ସହିତ ଏହାକୁ ଉଦ୍‌ଘାଟନ କରିଥିଲେ । ବିଗତ ମାଟ୍ରିକ୍ ପରୀକ୍ଷାରେ ସମଗ୍ର ଜିଲାରେ ସର୍ବୋଚ ନମ୍ବର ରଖିଥିବା ଜଣେ ଛାତ୍ର ଓ ଜଣେ ଛାତ୍ରୀ ସେହିପରି ଭଦ୍ରକ ପୌରପାଳିକା ଅଂଚଳର ମେଧାବୀ ଓ ଗରିବ ଛାତ୍ରଛାତ୍ରୀ ପ୍ରତ୍ୟେକଙ୍କୁ ୩ ହଜାର ଟଙ୍କାର ଆର୍ଥିକ ରାଶି ସହିତ ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଏହି ସଭାରେ ଭୁବନେଶ୍ୱର, ଯୋଡା, ଜଳେଶ୍ୱର, ଯାଜପୁର, ଫୁଲବାଣୀ, କଟକ, ବାଲେଶ୍ୱର, ଆନନ୍ଦପୁର ପ୍ରଭୃତି ମୋଟ ୪୨ ଗୋଟି କ୍ଲବ୍‌ରୁ ପ୍ରାୟ ୧୧୭ ରୋଟାରିଆନ, ଲାୟନ୍ସ କ୍ଲବ୍‌, ଇନର ହୁଇଲ କ୍ଲବ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ସମେତ ସମସ୍ତ ଅତିଥି ପ୍ରତ୍ୟେକ ୧୦ ଗୋଟି ଚାରା ରୋପଣ କରିବା ସହିତ ଭଦ୍ରକ ଜିଲାରେ ଅତି କମ୍‌ରେ ୫ ହଜାର ଚାରା ରୋପଣ ଓ ରାଜ୍ୟରେ ୫ ଲକ୍ଷ ଚାରା ରୋପଣ କରି ଯତ୍ନ ନେବାକୁ ଶପଥ ନେଇଥିଲେ । ନୂତନ ଅବସ୍ଥାପିତ ସଭାପତି ସନ୍ତୋଷ ନାୟକ ଓ ସଂପାଦିକା ଚଳିତ ବର୍ଷ ବିଭିନ୍ନ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ । ବିଗତ ରୋଟାରୀ ବର୍ଷର କାର୍ଯ୍ୟ ପାଇଁ ୧୩ ଜଣ ରୋଟାରୀ ସଭ୍ୟଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସମସ୍ତ ଅତିଥିଙ୍କୁ କ୍ଲବ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବ୍ ବୁଲେଟସିନ ଓ ଆୱାର୍ଡ ବୁଲେଟିନ୍ ଉନ୍ମୋଚନ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସର୍ଜେଂଟ ଆଟ ଆର୍ମ ଶଶିଶେଖର କରଶର୍ମା, ଉମାକାନ୍ତ ଜେନା, ଭାସ୍କର ଚନ୍ଦ୍ର ପାଢୀ, ସୀତାକାନ୍ତ ଦାସ, ଗୟାଧର ପଣ୍ଡା, ଶାନ୍ତିସ୍ୱରୂପ ମିଶ୍ର, ବିଜୟ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସତ୍ୟସୁନ୍ଦର ମହାନ୍ତି, ପ୍ରମୋଦ କୁମାର ଜେନା, ମାଙ୍ଗିଲାଲ ବଳଦେବ, ବାଦଲ କିଶୋର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଭୁବନେଶ୍ୱରରୁ ଆସିଥିବା ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ ଓ ଗୀତିକାର ସହଯୋଗୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଅଭିଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।