Odiapua.com

ଭଦ୍ରକ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହ୍ରାସ ପାଇବା ମୁଖ୍ୟ କାରଣ

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ପୂର୍ବାପେକ୍ଷା ସ୍ୱେଚ୍ଛାକୃତ ରକ୍ତ ସଂଗ୍ରହ ଶିବିରର ହ୍ରାସ ପାଇବା ଯୋଗୁଁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରେ ବିଗତ ୬ ମାସ ହେବ ରକ୍ତ ସଂକଟ ଦେଖାଦେଇଛି । ଫଳରେ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସହ ନିୟମିତ ରକ୍ତ ନେଉଥିବା ଥାଲାସେମିଆ ଓ ସେହିଧରଣର ରୋଗୀମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଗତ ୫ ମାସ ହେବ ରକ୍ତଦାନ ଶିବିର ହ୍ରାସ ପାଇଛି । ସାଧାରଣ ନିର୍ବାଚନ ଓ ରୌଦ୍ରତାପ ମଧ୍ୟ ଏହାର ଅନେକ କାରଣ ବୋଲି ରକ୍ତକେନ୍ଦ୍ରର ପରାମର୍ଶଦାତା ରତିକାନ୍ତ ବଳ ଗଣମାଧ୍ୟମକୁ କହିଛନ୍ତି । ତାଙ୍କ ସୂଚନା ମୂଳେ ପୂର୍ବରୁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ମାସକୁ ପ୍ରାୟ ୩ ଶହ ୟୁନିଟ୍ ହିସାବରେ ବର୍ଷକୁ ୩୬ ଶହ ୟୁନିଟ୍‌ରୁ ଅଧିକ ରକ୍ତ ସଂଗ୍ରହ ହୋଇ ଜିଲା ରକ୍ତଭଣ୍ଡାରକୁ ଆସୁଥିଲା । ତେବେ ନିର୍ବାଚନ ଘୋଷଣା ଠାରୁ ଏହା ଏକ ପ୍ରକାର ବନ୍ଦ ହେବା ଫଳରେ ଏହି ରକ୍ତ ସଂକଟ ଲାଗିରହିଛି । ଭଦ୍ରକ ରକ୍ତଭଣ୍ଡାର ସୂତ୍ରରୁ ମିଳିଥିବା ସୂଚନା ମୂଳେ ଏଠାରେ ୨ ହଜାରରୁ ୨୫ ଶହ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ରହିବାର କ୍ଷମତା ରହିଛି । ଜିଲା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କ ବ୍ୟତୀତ ଘରୋଇ ନର୍ସିଂହୋମ୍ ସମେତ ଆଖପାଖ ପଡୋଶୀ ଜିଲା ସରକାରୀ ମେଡିକାଲର ଆବଶ୍ୟକତାକୁ ଲକ୍ଷ୍ୟରଖି ରକ୍ତ ଦିଆଯାଇଥାଏ । ସେହିଭଳି ଜିଲାରେ ୪ ଶହ ଭଳି ଥାଲାସେମିଆ ରୋଗୀ ନିୟମିତ ରକ୍ତ ନେଉଛନ୍ତି । ପ୍ରତିଦିନ ୩୦ ରୁ ୩୫ ଜଣ ଥାଲାସେମିଆ ଓ ପ୍ରସୂତି ରୋଗୀ ନିୟମିତ ରକ୍ତ ନେଉଥିବାବେଳେ ମୋଟ ୬୦ ରୁ ୭୦ ୟୁନିଟ୍ ରକ୍ତ ଭଦ୍ରକ ରକ୍ତଭଣ୍ଡାରରୁ ଦିଆଯାଉଛି । ତେବେ ଏହି ଭଣ୍ଡାରକୁ ନିୟମିତ ୨୦ ରୁ ୨୫ ୟୁନିଟ୍ ରକ୍ତ ସଂଗ୍ରହ ହେଉଛି ।

ଗତ ୨୫ ତାରିଖ ସୁଦ୍ଧା ଏହି ଭଣ୍ଡାରରେ ମାତ୍ର ୨୪ ୟୁନିଟ୍ ରକ୍ତ ମହଜୁଦ ଥିବାବେଳେ ଏକ ସ୍ୱେଚ୍ଛାସେବୀ କ୍ୟାମ୍ପରୁ ୯୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ଆସିବାରୁ କିଛିମାତ୍ରାରେ ରକ୍ତ ସଂକଟ ଦୂର ହୋଇଛି । ଅନୁରୂପ ଏହି ଜିଲାରେ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଭଦ୍ରକ, ଧାମନଗର, ବାସୁଦେବପୁର , ଖଇରା, ସିମୁଳିଆ ଓ ଯାଜପୁରରେ ଅନୁଷ୍ଠିତ ଶିବିରରୁ ଉପରୋକ୍ତ ରକ୍ତ ସଂଗ୍ରହ କରାଯାଇ ଭଦ୍ରକକୁ ଆସୁଥିଲା । ସେହିଭଳି ଭଦ୍ରକ ସତ୍ୟସାଇ ଅନୁଷ୍ଠାନ ୧ମ ଓ ୨ୟ ସମେତ ୧୩ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦାନୀ ଫାଉଣ୍ଡେସନ ଧାମରା, ଅଖିଳ ଭାରତ ଦୁଃଖି ସମାଜ ଭଦ୍ରକ, ଭଦ୍ରକ କଲେଜ, ଟିପିଏନ୍‌ଓଡିଏଲ୍ ଭଦ୍ରକ, ସହୀଦ ଭଗତସେନା ପ୍ରମୁଖଙ୍କ ଠାରୁ ଏହି ରକ୍ତ ସଂଗ୍ରହ ହେଉଥିଲା । ଏବେ କ୍ୟାମ୍ପର ଅଭାବ ଫଳରେ ଦୈନିକ ଆବଶ୍ୟକ ୬୦ ରୁ ୭୦ ୟୁନିଟ୍ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ତେବେ ଡାକ୍ତରଖାନାରେ ରୋଗୀଙ୍କ ଲାଗି ୨୫ ୟୁନିଟ୍‌, ଥାଲାସେମିଆ ରୋଗୀଙ୍କୁ ୩୫ ୟୁନିଟ୍‌, ନର୍ସିଂହୋମ୍‌କୁ ୧୦ ୟୁନିଟ୍ ରକ୍ତର ଆବଶ୍ୟକତା ଥିବାର ରକ୍ତଭଣ୍ଡାର ପକ୍ଷରୁ ସୂଚନା ମିଳିଛି । ଏପରିକି ଏହି କେନ୍ଦ୍ରରେ ଏ ଓ ବି ପଜେଟିଭ୍ ରକ୍ତର ଅଭାବ ରହିଛି । ଏକ୍ସଚେଂଜ୍ ହୋଇ ରୋଗୀଙ୍କୁ ତାହା ଦିଆଯାଉଛି । ଆସନ୍ତା ଅଗଷ୍ଟ ମାସରେ ୧୨ଟି ଭଳି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହେବାର ସୂଚନା ଥିବାରୁ ତାହା ଏହି ସମସ୍ୟାକୁ ଦୂର କରିବ ବୋଲି ଆଶା ସଂଚାର ହୋଇଥିଲେ ମଧ୍ୟ ସ୍ୱେଚ୍ଛାସେବୀମାନେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବା ଜରୁରୀ ବୋଲି ବୁଦ୍ଦିଜୀବୀ ମହଲରେ ମତପ୍ରକାଶ ପାଇଛି ।