Odiapua.com

ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ପୁଣି ଦାବି ଜୋର ଧରିଲା, ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ପ୍ରମୁଖ ଅସ୍ତ୍ର କଲେ ବୁଦ୍ଧିଜୀବୀ

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ତିନୋଟି ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସରକାରଙ୍କ ଘୋଷଣାନାମା ପରେ ପୁଣିଥରେ ଭଦ୍ରକରେ ଏହାର ସ୍ଥାପନା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ଜୋର ଧରିଛି । ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବାବେଳେ ଭାରତୀୟ ଚିକିତ୍ସକ ସଂଘ, ଭଦ୍ରକ ଶାଖାର ସଂପାଦକ ଡାକ୍ତର ହରେକୃଷ୍ଣ ନାୟକ, ବିଶିଷ୍ଟ ସମାଜସେବୀ ସୁଧାକର ରାଉତ, ଶିକ୍ଷାବିତ୍ ଶାନ୍ତନୁ କୁମାର ରାଉତ, ବୈଲୋଚନ ବେହୁରିଆ, ଗୀତାରାଣୀ ଆଇଚ, ବିଏସ୍‌ଏସ୍‌ର ସଂପାଦକ ପ୍ରକାଶ ସ୍ୱାଇଁ ପ୍ରମୁଖ ଯୋଗଦେଇ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ସଂପର୍କରେ ଗଣମାଧ୍ୟମକୁ ବିଶଦ ସୂଚନା ଦେଇଥିଲେ । ପଣ୍ଡିତ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ସମସ୍ତ ବୁଦ୍ଧିଜୀବୀଙ୍କ ଅଭିଯୋଗ ମୂଳେ ଏକ ନୂତନ ଜିଲା ଭାବେ ଭଦ୍ରକକୁ ପ୍ରାୟ ୨୭ ବର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାର ବିକାଶ କେବଳ ନାହିଁ ନାହିଁରେ ଚାଲିଛି । ବିଶେଷକରି ସ୍ୱାସ୍ଥ୍ୟ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଏହାର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ, ଭିତ୍ତିଭୂମିର ଅଭାବ ସହ ଏହି ଚିକିତ୍ସାଳୟରେ କୋଟି କୋଟି ଟଙ୍କାର ବ୍ୟୟ ବହୁଳ ମେସିନ୍ କିଭଳି ଅଚଳ ଅବସ୍ଥାରେ ଖତ ଖାଉଛି, ତାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । କୋଭିଡ୍‌-୧୯ ଭଳି ମହାମାରୀ ସମୟରେ ଏହି ଜିଲାର ଏକମାତ୍ର କୋଭିଡ୍ ହସ୍‌ପିଟାଲ ଭାବେ ପ୍ରତିଷ୍ଠା ହୋଇଥିବା ସାଳନ୍ଦୀ ହସ୍‌ପିଟାଲରେ ତିନି ତିନୋଟି ଭେଣ୍ଟିଲେଟର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହାର ପରିଚାଳନା ଅଭାବ ବହୁ ମୃତ୍ୟୁର କାରଣ ହୋଇଛି । ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲାବାସୀଙ୍କ ଦାବି ଜୋର ଧରିଥିବାବେଳେ ୨୦୧୮ ମସିହାରେ ଅଖଚକ ବନ୍ଦ କରି ସମସ୍ତ ଜନସାଧାରଣ ଯେଭଳି ‘ଭଦ୍ରକ ବନ୍ଦ’ କୁ ନିଜର ମୌଳିକ ସମର୍ଥନ ଦେଇ ଦାବିର ଯଥାର୍ଥତା ପ୍ରତିପାଦନ କରିଥିଲେ, ତାହା ମଧ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଲା ନାହିଁ । ଏହି ଭଦ୍ରକ ବନ୍ଦ ରେ କେବଳ ବୁଦ୍ଧିଜୀବୀ ନୁହଁନ୍ତି, ସାମ୍ବାଦିକ, ଛାତ୍ରଛାତ୍ରୀ, ଚାଷୀ ଓ ସାଧାରଣ ଜନତା ପୂର୍ଣ୍ଣମାତ୍ରାରେ ସହଯୋଗ ପୂର୍ବକ ବିଭିନ୍ନ ଉପାୟରେ ସମର୍ଥନ ଜଣାଇଥିଲେ । ଓଡ଼ିଶା ବାହାରେ ରହୁଥିବା ଭଦ୍ରକବାସୀ ମଧ୍ୟ ନିଜ ନିଜ ସହରରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ଦିଲ୍ଲୀ, ସୁରଟ, କୋଲକାତା ଭଳି ସହରରେ ମଧ୍ୟ ଏହି ମେଡିକାଲ କଲେଜ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ମିଳିଥିଲା । ତିନି ରାଜନୈତିକ ଦଳର ପ୍ରମୁଖ ନେତା ଏହି ଆନ୍ଦୋଳନକୁ ସମର୍ଥନ ଦେଇଥିଲେ ।

ଏପରିକି ଏହି ମେଡିକାଲ କଲେଜର ମୁଦ୍ଦାକୁ ନେଇ ସେମାନେ ନିର୍ବାଚନ ବୈତରଣୀ ପାରି ହେବାର ପ୍ରୟାସ ମଧ୍ୟ କରିଥିଲେ । ମାତ୍ର ତାହା ଯେଉଁ ତିମିରିକେୁ ସେହି ତିମିରରେ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କ ସୂଚନା ମୂଳେ ଜିଲାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଆସୁଥିବାବେଳେ କଟକ ଯାଇ ବଡ ଡାକ୍ତରଖାନାରେ ଚିକିତ୍ସା ହେବା ଅତ୍ୟନ୍ତ ଦୁରୂହ ବ୍ୟାପାର । ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନାର ସଫଳ ରୂପାୟନ କରୁଥିଲେ ମଧ୍ୟ ଭଦ୍ରକକୁ ସ୍ୱତନ୍ତ୍ର ଭାବରେ ଏକ ମେଡିକାଲ କଲେଜ ଉପହାର ଦେଲେ ଜିଲାବାସୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଋଣୀ ରହିବେ ବୋଲି ବକ୍ତାମାନେ କହିଥିଲେ । ତେବେ ନିକଟରେ କୋଭିଡ୍‌-୧୯ ଏହି ମେଡିକାଲ କଲେଜର ଆନ୍ଦୋଳନକୁ ପ୍ରସଶମିତ କରିଦେଇଛି । ସରକାରଙ୍କ କଟକଣା ପାଇଁ ଏହି ଆନ୍ଦୋଳନ ସାମୂହିକ ଭାବେ ବନ୍ଦ ଥିଲା । ସରକାର ଏହି ଜିଲାରେ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲିବା ଯଦିଓ ଧନ୍ୟବାଦର ଯୋଗ୍ୟ, ତେବେ ଭଦ୍ରକ ବାସୀଙ୍କ ସ୍ୱପ୍ନ ଏଥିରେ ସାକାର ହୋଇନାହିଁ । ଏ ଦିଗରେ ଭଦ୍ରକରେ ଭିତ୍ତିଭୂମି ନାହିଁ କହି ମେଡିକାଲ କଲେଜ ପ୍ରତିଷ୍ଠାର ସାମାଜିକ ସ୍ରୋତକୁ ଏଡାଇଯିବା ସବୁଠାରୁ ଦୁଃଖଦାୟକ ବୋଲି ଡାକ୍ତର ଶ୍ରୀ ନାୟକ ଗଣମାଧ୍ୟମକୁ କହିଥିଲେ । ତାଙ୍କ କହିବା ମୂଳେ କୌଣସି ସ୍ଥାନରେ ଭିତ୍ତିଭୂମି ନଥାଏ । ଏହାର ନିର୍ମାଣ କରାଯାଏ । ଭଦ୍ରକ ମାଟିରେ ଇରମ ଠାରୁ ଲୁଣିଆ ପର୍ଯ୍ୟନ୍ତ ସହୀଦମାନଙ୍କ ରକ୍ତରେ ଏବେବି ଜର୍ଜରିତ । ଗାନ୍ଧିଜୀଙ୍କ ଆଗମନ ତଥା ଦୁଇ ଦୁଇଟି ମୁଖ୍ୟମନ୍ତ୍ରୀ ଦେଇଥିବା ଭଦ୍ରକ ମାଟିକୁ ସରକାର ସର୍ବଦା ଅବହେଳାରେ ରଖିଛନ୍ତି । ଏହି ଜିଲାର ଚତୁପାଶ୍ୱର୍ରେ ଥିବା ପଡୋଶୀ ଜିଲ୍ଲା ଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ଉନ୍ନତ ଥିଲା ବେଳେ ଭଦ୍ରକରେ ତାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ପ୍ରାୟତଃ ଭଦ୍ରକରେ ଦୀର୍ଘଦିନ ଧରି ବିଭିନ୍ନ ଜନ ପ୍ରତିନିଧି ବିଜୟଲାଭ କରିଥିବାବେଳେ ସୁନ୍ଦର ସ୍ୱାସ୍ଥ୍ୟ ଯୋଗାଇଦେବାରେ ବିଫଳ ହୋଇଛନ୍ତି । ଏଣୁ ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ସ୍ୱାଭିମାନୀ ଭଦ୍ରକିଆ ଭାବେ ସମସ୍ତଙ୍କର ସ୍ୱର ଏବେ ଏକ ହେବା ଉଚିତ୍ । ଏବଂ ସରକାର ଜିଲାବାସୀଙ୍କ ଦୀର୍ଘଦିନର ଦାବିକୁ ସହୃଦୟତାର ସହ ଗ୍ରହଣ କଲେ ଜିଲାବାସୀ ଉପକୃତ ହୁଅନ୍ତେ ବୋଲି ଉପସ୍ଥିତ ବୁଦ୍ଧିଜୀବୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଭଦ୍ରକ ନିର୍ବାଚିତ ପ୍ରତିନିଧିମାନଙ୍କୁ ଭେଟି ଦାବି କରିଥିଲେ ହେଁ ଯେଉଁ ପ୍ରତିଶ୍ରୁତି ମିଳିଥିଲା, ତାହା ପାଣିର ଗାର ହୋଇଥିବାରୁ ଏବେ ଗଣମାଧ୍ୟମ ୪ର୍ଥ ସ୍ତମ୍ଭର ପ୍ରତିିନିଧିମାନେ ହିଁ ଏକମାତ୍ର ଭରସା ବୋଲି ବକ୍ତାମାନେ ସୂଚନା ଦେଇ ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ମେଡିକାଲ କଲେଜର ପ୍ରତିଷ୍ଠାର ହକ୍ ପାଇଁ ଲଢେଇ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।