ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି କ୍ଷମତାକୁ ଆସିଲେ ଭଦ୍ରକବାସୀଙ୍କ ଦୀର୍ଘଦିନର ୨ ପ୍ରମୁଖ ଦାବି ଭଦ୍ରକରେ ସରକାରୀ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ୬ମାସ ମଧ୍ୟରେ ସ୍ଥାପନ ହେବ ବୋଲି ନିଜ ନିର୍ବାଚନୀ ଇସ୍ତହାରରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିବାକୁ ଇତିମଧ୍ୟରେ ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ ବିତିସାରିଛି। କିନ୍ତୁ ଉଭୟ କ୍ଷେତ୍ରରେ ବିଜେପି ସରକାର ଏହାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ଏହା ପ୍ରଶାସନିକ ନିଷ୍କ୍ରିୟତା ନା ବିଜେପି ସରକାରରେ ଭଦ୍ରକରୁ ପ୍ରତିନିଧିତ୍ୱ କରୁଥିବା ନେତୃମଣ୍ଡଳୀଙ୍କ ଅପାରଗତା ବୋଲି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ପ୍ରଶ୍ନ କରିଛନ୍ତି। ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଭଦ୍ରକବାସୀଙ୍କୁ ସନ୍ଦେହଘେରକୁ ଟାଣି ନେଇଛି। ଭଦ୍ରକରେ ସରକାରୀ ମେଡିକାଲ କଲେଜ ସ୍ଥାପନ ପାଇଁ ଜମି ମିଳୁନି ବା ଚିହ୍ନଟ ହୋଇ ପାରୁନି। ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଭଦ୍ରକ ଜିଲ୍ଲାପାଳଙ୍କୁ ଗତ ଜୁନ ମାସ ୧୨ ତାରିଖ ପତ୍ରାଙ୍କ ୧୬୪୨୦ରେ ମେଡିକାଲ ଜଲେଜ ସ୍ଥାପନ ପାଇଁ ଜମି ଚିହ୍ନଟ ସମେତ ସ୍ଥିତି ସମ୍ପର୍କରେ ଜଣାଇବାକୁ କହିଥିଲେ। କିନ୍ତୁ ଜିଲ୍ଳାପାଳଙ୍କ ଦ୍ୱାରା ଏନେଇ କୌଣସି ଉତର ନମିଳିବାରୁ ଗତ ଜୁଲାଇ ମାସ ୮ ତାରିଖ ପତ୍ରାଙ୍କ ୧୮୮୭୭ ମୂଳେ ପୁନର୍ବାର ଏ ସମ୍ପର୍କରେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଦ୍ୱିତୀୟ ପତ୍ରକୁ ମଧ୍ୟ ୨ ମାସ ବିତିବାକୁ ବସିଛି। କିନ୍ତୁ ପ୍ରଶାସନିକ ସ୍ତରରେ କ’ଣ କାର୍ଯ୍ୟାନୁଷ୍ଠାନ ବା ପଦକ୍ଷେପ ଗ୍ରହଣ କରାଯାଇଛି ତାହାକୁ ନେଇ ସମସ୍ତେ ଅନ୍ଧାରରେ। ସରକାରରେ ଥାଇ ଜମି ଚିହ୍ନଟ କରିବାରେ ଅସୁବିଧା କେଉଁଠି। ଯଦି ଜମି ନମିଳୁଛି ଅଧିଗ୍ରହଣ କରିବାରେ ମଧ୍ୟ ସମସ୍ୟା କେଉଁଠି। ତେଣୁ ଜମି ଚିହ୍ନଟ ପ୍ରକ୍ରିୟାରେ ପ୍ରଶାସନିକ ନିଷ୍କ୍ରିୟତା ଓ ବିଜେପି ନେତୃତ୍ୱଙ୍କ ଇଛାଶକ୍ତିର ଅଭାବ ନୁହେଁକି। ବିଜେପି ନେତୃବୃନ୍ଦ ମଧ୍ୟ ଜାଣି ରଖିବା ଦରକାର ମେଡିକାଲ କଲେଜ ପାଇଁ ଅତୀତରେ ଦୁର୍ବାର ଆନ୍ଦୋଳନ ହୋଇଥିଲା। ଏଥିରେ କଂଗ୍ରେସ, ଏବେର ଶାସକ ବିଜେପି ସମେତ ବହୁ ସାମାଜିକ ସଂଗଠନ ସାମିଲ ହୋଇ ଏହି ଦାବିକୁ ଜିଲ୍ଲାର ଗଳିକନ୍ଦିରେ ପହଂଚାଇଥିଲେ। ଏହି ଆନ୍ଦୋଳନ ପ୍ରଭାବରେ ମେଡିକାଲ କଲେଜ ଭଦ୍ରକବାସୀଙ୍କ ସ୍ୱାଭିମାନର ପ୍ରଶ୍ନ ହୋଇ ରହିଛି। ଭଦ୍ରକବାସୀଙ୍କ ସ୍ୱାଭିମାନ ସହ ବିଜେପି ସରକାର ଆଉ ପ୍ରତାରଣା ନକରୁ। କେବଳ ବିଧାନସଭାରେ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ଘୋଷଣା କଲେ ଚଳିବ ନାହିଁ। କାରଣ ଘୋଷଣା ଘୋଷଣାରେ ସିମୀତ ରହିଯାଇ ପାରେ। ତେଣୁ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଆନ୍ତରିକତା ଦେଖାଇବାକୁ ପଡ଼ିବ। ଭଦ୍ରକର ବିଧାୟକ, ଜିଲ୍ଲାର ମନ୍ତ୍ରୀ, ସାଂସଦ, ଓ ରାଜ୍ୟ ସଭା ସାଂସଦ ତଥା ଜିଲ୍ଲାର ବରିଷ୍ଠ ନେତା ଓ ରାଜ୍ୟ ବିଜେପି ସଭାପତି ମିଳିତ ଭାବେ ଏଦିଗରେ ଆଲୋଚନା କରି ତୁରନ୍ତ ଏକ ନିଷ୍କର୍ଷରେ ପହଂଚିବା ଜରୁରୀ। ସମ୍ଭବତଃ ୁପରୋକ୍ତ ନେତୃତ୍ୱଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ଓ ସ୍ଥିର ହୋଇ ପାରୁନି ବୋଲି କଂଗ୍ରେସ ଆଶଙ୍କା ପ୍ରକାଶ କରୁଛି। ଯଦି ଆସନ୍ତା ୧୫ ଦିନ ମଧ୍ୟରେ ମେଡିକାଲ କଲେଜ ସ୍ଥାପନ ପାଇଁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ଏପରିକି ଭଦ୍ରକ ବନ୍ଦ ଡାକରା ଦେବାକୁ ବି ପଛାଇବ ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ପିତବାସ ଧଳ, ପ୍ରଦ୍ୟୁମ୍ନ କୁମାର ଦାସ, ରାଜେନ୍ଦ୍ର ପ୍ରସାଦ ଜେନା, ବଳରାମ ରାଉତ, ବିଜୟ ବାରିକ, ନାରୀନେତ୍ରୀ ଶର୍ମିଷ୍ଠା ପଣ୍ଡା, ଗୋଲାମ ମହିଉଦ୍ଦିନ, ରଂଜନ ଯେନା, ମନୋଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।