Odiapua.com

ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ମନୋଜ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ କମ୍ ବ୍ୟକ୍ତି ନିଜ ଜୀବନକାଳରେ କିଂବଦନ୍ତୀରେ ରୂପାନ୍ତରିତ ହୋଇଥାନ୍ତି । ସାରସ୍ୱତ ସାଧନାର ଶ୍ରଦ୍ଧାଶୀଳ ଉଚ୍ଚାରଣ ପଦ୍ମଭୂଷଣ ମନୋଜ ଦାସ ସେହି ସଂଖ୍ୟାଲଘୁଙ୍କ ମଧ୍ୟରୁ ଅନ୍ୟତମ । ଆଜି ସେ ଆଲୋକ-ଆନନ୍ଦର ମାର୍ଗରେ ‘ଶେଷ ତାନ୍ତ୍ରିକର ସନ୍ଧାନରେ’ଅଗ୍ରସର ହୋଇଛନ୍ତି । ୧୯୫୨ ମସିହାରେ ପ୍ରଥମ ଗଳ୍ପ ସଂକଳନ ‘ସମୁଦ୍ରର କ୍ଷୁଧା’ ରୁ ୨୦୧୯ ମସିହାରେ ସଦ୍ୟତମ ପ୍ରକାଶିତ ଉପନ୍ୟାସ ‘ଶେଷ ତାନ୍ତ୍ରିକର ସନ୍ଧାନରେ’, ବାମପନ୍ଥୀ ଆନ୍ଦୋଳନର ପୁରୋଭାଗରୁ ଶ୍ରୀ ଅରବିନ୍ଦ ଆଶ୍ରମରେ ଦୀର୍ଘ ପାଞ୍ଚ ଦଶନ୍ଧି ବ୍ୟାପୀ ସାଧନାରତ ମନୋଜ ଦାସଙ୍କ ଜୀବନକୁ ଆମେ ଆଧ୍ୟାତ୍ମିକ ଉତ୍ତରଣର ପ୍ରତୀକ ଭାବେ ଗ୍ରହଣ କରିପାରିବା । ଏହି ଛ ଦଶନ୍ଧି ମଧ୍ୟରେ ଓଡିଆ ଏବଂ ଇଂରାଜୀ ଭାଷାରେ ସେ ଆମକୁ ଅଜସ୍ର ଗଳ୍ପ, କବିତା,ସ୍ତମ୍ଭ,ଉପନ୍ୟାସ,ଭ୍ରମଣ କାହାଣୀ ,ଶିଶୁ ସାହିତ୍ୟ ଆଦି ଅର୍ପଣ କରି ଓଡ଼ିଆ ଭାଷା ସମେତ ଜାତୀୟ ସଂସ୍କୃତିକୁ ଅନ୍ତର୍ଜାତୀୟସ୍ତରରେ ପ୍ରତିଷ୍ଠା ଆଣିପାରିଛନ୍ତି । ତାଙ୍କ ଦ୍ୱାରା ବ୍ୟବହୃତ କେତୋଟି ଇଂରାଜୀ ଶବ୍ଦକୁ କନ୍‌ସାଇଜ୍ ଅକ୍ସଫୋର୍ଡ ଡିକ୍ସିନାରୀ ଦୃଷ୍ଟାନ୍ତ ଭାବେ ଗ୍ରହଣ କରିଛନ୍ତି । ସଂପାଦନାକ୍ଷେତ୍ରରେ ତାଙ୍କର ଅବଦାନ ଅତ୍ୟନ୍ତ ସୁସ୍ପଷ୍ଟ । ‘ଦିଗନ୍ତ’ ଏବଂ ‘ହେରିଟେଜ୍‌’ ନାମ ସ୍ମରଣ କରିବା ମାତ୍ରେ ଏବେ ମଧ୍ୟ ପ୍ରାଣରେ ଶିହରଣ ସୃଷ୍ଟି ହୁଏ । ଏକଦା ତାଙ୍କ ସଂପାଦନାରେ ଇଂରାଜୀ ‘ଚନ୍ଦାମାମା’ର ପ୍ରସାରଣ ଦୁଇ ହଜାରରୁ ଏକ ଲକ୍ଷ ପହଞ୍ôଚ ପାରିଥିଲା । ପ୍ରଫେସର ମନୋଜ ଦାସଙ୍କ ମତରେ ସାହିତ୍ୟର ସ୍ରୋତ ଚାରୋଟି ଧାରାରେ ପ୍ରବାହିତ । ପ୍ରେରଣା-ସମ୍ଭୁତ ସାହିତ୍ୟ । ଏହି ପର୍ଯ୍ୟାୟର ସାହିତ୍ୟ, ଜୀବନ ଓ ଜଗତର ଯନ୍ତ୍ରଣାକୁ ଅସ୍ୱୀକାର କରେ ନାହିଁ , ବରଂ ତାହା ଅତିକ୍ରମ କରିଯିବା ସକାଶେ ଯୁଗ ଯୁଗ ପାଇଁ ମାନବସମାଜକୁ ଶକ୍ତି ଏବଂ ସାମର୍ଥ୍ୟ ଯୋଗାଇଥାଏ । ରାମାୟଣ,ମହାଭାରତ,ସାବିତ୍ରୀ ମହାକାବ୍ୟ ଇତ୍ୟାଦି ଏହି ପର୍ଯ୍ୟାୟର । ଦ୍ୱିତୀୟ -ସାମାଜିକ ଅଙ୍ଗୀକାରବଦ୍ଧ ସାହିତ୍ୟ ।

ଏହା ସମାଜର ଅନ୍ଧକାରାଚ୍ଛନ୍ନ ଦିଗକୁ ସିନ୍ଦୂରା ଫାଟିବାର ମୁହୂର୍ତ୍ତରେ ପରିଣତ କରିଦିଏ । ପଞ୍ଚତନ୍ତ୍ର, ଜାତକ ଗଳ୍ପ, ଟମ କକାଙ୍କ କୁଟୀର, ଲକ୍ଷ୍ମୀ ପୁରାଣ ଆଦି ଏହି ବିଭବର ସର୍ବକାଳୀନ ଶ୍ରେଷ୍ଠ କୃତି । ତୃତୀୟ -ଉତ୍ତେଜନା ପ୍ରବଣ ସାହିତ୍ୟ ଏବଂ ଚଚୁର୍ଥ ବିଜ୍ଞାପନ ସାହିତ୍ୟ । ଶେଷ ଦୁଇ ପର୍ଯ୍ୟାୟ ଯଥାର୍ଥ ଭାବେ ସାହିତ୍ୟ ପଦବାଚ୍ୟ ନୁହେଁ । କାରଣ ଜନ୍ମ ନେବାର କିଛି ମୁହୂର୍ତ୍ତ ପରେ ଏଗୁଡିକ ସମୟର ମହାସ୍ରୋତରେ ନିଶ୍ଚିହ୍ନ ହୋଇଯାଆନ୍ତି । କେବଳ କ୍ଷଣିକ ପାଇଁ ହଟଚମଟ ସୃଷ୍ଟି କରିବା ଏହାର ଏକମାତ୍ର ଆଭିମୁଖ୍ୟ । ସାରସ୍ୱତ ସାଧକ ମନୋଜ ବିଶ୍ୱାସ କରନ୍ତି ଦୁଇଟି ଶକ୍ତି ସର୍ବଦା ମଣିଷକୁ ନିୟନ୍ତ୍ରିତ କରିଆସିଛି – ଆଧ୍ୟାତ୍ମିକ ଶକ୍ତି ଓ ଆସୁରିକ ଶକ୍ତି । ମଣିଷ ଯେତେବେଳେ ଦିବ୍ୟ କୃପା ବଳରେ ଆଧ୍ୟାତ୍ମିକ ଶକ୍ତିର ପ୍ରଭାବରେ ଥାଏ, ସେତେବେଳେ ତାର ଚେତନାର ଦିଗ୍‌ବଳୟ ଅତିନ୍ଦ୍ରିୟ ଶୂନ୍ୟଭୂମିକୁ ପ୍ରଲମ୍ବିତ ହୋଇଯାଏ । ସେହି ମୁହୂର୍ତ୍ତରେ ସେ କେବଳ ନିଜର ନୁହେଁ, ସମଗ୍ର ମାନବ ସମାଜର ଅତୀତ,ବର୍ତ୍ତମାନ ସଂପର୍କରେ ଅବଗତ ହୋଇ ଭବିତବ୍ୟର ମାର୍ଗଦର୍ଶନ କରେ । କିନ୍ତୁ ଅନେକ ସମୟରେ ମଣିଷ ଆସୁରିକ ଶକ୍ତିର ପ୍ରଭାବରୁ ମୁକ୍ତ ହୋଇପାରେ ନାହିଁ । ଜୀବନର ପ୍ରତିଟି ଦୋଛକିରେ ସେହି ଶକ୍ତି ତାକୁ ପ୍ରଲୋଭିତ କରେ । ବେଳେବେଳେ ଏହି ଶକ୍ତି ଜଣେ ବ୍ୟକ୍ତି ମାଧ୍ୟମରେ ଗୋଟାଏ ଜାତିକୁ ମଧ୍ୟ ମାଡ଼ିବସେ । ହିଟଲର ହେଉଛନ୍ତି ଏହାର ଦୃଷ୍ଟାନ୍ତ । ପଦ୍ମଭୂଷଣ ମନୋଜ ଦାସଙ୍କ ମହାପ୍ରୟାଣରେ ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ଏହି ମତ ବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ହରେକୃଷ୍ଣ ନାୟକ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସୁଧାକର ରାଉତ, ଶାନ୍ତନୁ ରାଉତ, ଶ୍ରୀହର୍ଷ ସ୍ୱାଇଁ, ବୈଲୋଚନ ବେହୁରିଆ, ଇଂ ମହେଶ ଦାସ, ରାମଚନ୍ଦ୍ର ବେହେରା, ସୀତାକାନ୍ତ ଦାସ, ବାବୁଲାଲ ଦାସ ପ୍ରମୁଖ ଶ୍ରଦ୍ଧାଜ୍ଞଳି ବକ୍ତବ୍ୟ ପ୍ରଦାନ କରିଥିଲେ ।