ଭଦ୍ରକ, ୧୪ା୬ -ଭଦ୍ରକ ମୁନିସିପାଲଟିର ୨୭ ନମ୍ବର ୱାର୍ଡରେ ହୋଇଥିବା ଏକ ଉନ୍ନୟନମୂଳକ କାମକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସରକାରୀ ଅର୍ଥରେ “ହୁମାୟୁନଙ୍କ ଘରଠାରୁ ମମତାଜଙ୍କ ଘର ପର୍ଯ୍ୟନ୍ତ ପେଭର ରୋଡ୍ ଓ ଆ.ର୍ସି.ସି. ଡ୍ରେନ୍ ନିର୍ମାଣ” ପାଇଁ ପ୍ରାୟ ୧୦ ଲକ୍ଷ ୩୭ ହଜାର ୪୫୬ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ, ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏହି କାମର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି।ଅଭିଯୋଗ ଅନୁଯାୟୀ, ଉକ୍ତ କାମରେ ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବା ସହ ଫଲ୍ସ ବିଲ୍ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା କଥା ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ସରକାରୀ ପ୍ରକଳ୍ପର ଅର୍ଥକୁ ବ୍ୟକ୍ତିଗତ କାମରେ ବ୍ୟବହାର କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।ଏହି ଘଟଣାରେ ବିଭାଗୀୟ ଅଧିକାରୀଙ୍କ ସହ କିଛି କର୍ମଚାରୀ ଓ ଦାୟିତ୍ୱପ୍ରାପ୍ତ ଯନ୍ତ୍ରୀ (ଔଋ)ଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ସ୍ଥାନୀୟ ମହଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ପକ୍ଷରୁ ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।ସ୍ଥାନୀୟ ଜନସାଧାରଣଙ୍କ ଦାବି ହେଉଛି, ଉକ୍ତ କାମର ସମ୍ପୂର୍ଣ୍ଣ ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାର୍ଥକୁ ସାମ୍ନାକୁ ଆଣାଯାଉ ଏବଂ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ।