ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଶାସ୍ତ୍ର, ସଂସ୍କୃତି, ପରମ୍ପରା, ଯୋଗ ଆଦି ବିଶ୍ୱ ଦରବାରରେ ବିପୁଳ ଆଦୃତ ଲାଭ କରିବା ସଂଗେସଂଗେ ଆମ ଦେଶକୁ ସେମାନଙ୍କୁ ଆସିବା ପାଇଁ ଅପୂର୍ବ ଆକର୍ଷଣ ସୃଷ୍ଟି କରିଛି। ହେତୁବାଦକୁ ଏକମାତ୍ର ଦର୍ଶନ ଭାବେ ଜୀବନରେ ଗ୍ରହଣ କରି ଆମ ଶାସ୍ତ୍ର, ପରମ୍ପରା, ସଂସ୍କୃତିକୁ ନିନ୍ଦା କରିବା ସହ ସେଗୁଡ଼ିକ ଧ୍ୱଂସ କରିବାକୁ ଚେଷ୍ଟା କଲେ ସମଗ୍ର ବିଶ୍ୱରେ ଆମ ପରିଚୟ ହଜିଯିବ ବୋଲି ଭଦ୍ରକ ସହର ଗାନ୍ଧି ପଡ଼ିଆ ଠାରେ ଆୟୋଜିତ ଭଦ୍ରକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ଅତିଥିମାନେ ବକ୍ତବ୍ୟରେ ସ୍ୱୀକାର କରିଥିଲେ। ବିଶିଷ୍ଟ ସାରସ୍ୱତ ସାଧକ କବିଶେଖର ଚିନ୍ତାମଣି ମହାନ୍ତିଙ୍କ ସ୍ମୃତିରେ ଉତ୍ସର୍ଗ ଏହି ସାରସ୍ୱତ ଓ ସାଂସ୍କୃତିକ ସନ୍ଧ୍ୟାରେ ନାଟ୍ୟଶ୍ରୀ ନିର୍ମଳ ରାଉତ ପୌରୋହିତ୍ୟ କରିଥିଲେ। ‘ଆମ ଶାସ୍ତ୍ର, ସଂସ୍କୃତି ଓ ହେତୁବାଦ’ ଶିରୋନାମାରେ ଏକ ଆଲୋଚନାଚକ୍ର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା। ବିଶିଷ୍ଟ ସାରସ୍ୱତ ସାଧକ ତଥା ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ବିଶ୍ୱାଳ ମୁଖ୍ୟ ଅତିଥି, ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଓ ନାଟ୍ୟକାର ବିଜୟ କୁମାର ଦାସ ମୁଖ୍ୟବକ୍ତା, ପୂର୍ବତନ ଇଂରାଜୀ ପ୍ରାଧ୍ୟାପକ ତଥା ପ୍ରାବନ୍ଧିକ ଡ. ସୁରେନ୍ଦ୍ର ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ହୋତା, ପୂର୍ବତନ ଅଧ୍ୟକ୍ଷ ଡ. କୃପାସିନ୍ଧୁ ନାୟକ, ଭଦ୍ରକ ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭାଗବତ ପ୍ରସାଦ ମହାଳିକ, ପ୍ରଧାନ ଶିକ୍ଷୟତ୍ରୀ ଦୀପ୍ତିମୟୀ ସାହୁ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସନ୍ଧ୍ୟାର ସମାବେଶରେ ସଭପତି ଇଂ ଅଭୟ ସୂତାର ଅତିଥିମାନଙ୍କୁ ମଞ୍ଚ ନିମନ୍ତ୍ରଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଆବାହକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ଓ ପ୍ରାକ୍ ସୂଚନା, ମଞ୍ଚ କଳାକାର କାଳନ୍ଦୀ ଚରଣ ମଲ୍ଲିକ ଅତିଥି ପରିଚୟ ଓ ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢୀ ବେଦପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ରବି ନାରାୟଣ ଖିଲାର, ଉପଦେଷ୍ଟା ଅଧିବକ୍ତା ନିରାକାର ଜେନା, ସଂଗଠନ ସମ୍ପାଦକ ବାବୁଲାଲ ଦାସ, କଳ୍ପନା ଜେନା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। କୋଷାଧ୍ୟକ୍ଷ ଆଶିଷ ଅଭିତାଭ ମହପ।।ତ୍ର, ସାଂସ୍କୃତି ସମ୍ପାଦକ ରାମନାରାୟଣ ମହାନ୍ତି ଓ ସୁଶ୍ରୀ ରଶ୍ମିତା ସେଠୀ ସାଂସ୍କୃତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।