Odiapua.com

ଭଦ୍ରକ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରିବାର ଠାରୁ ଅନୁଷ୍ଠାନ ପ୍ରତ୍ୟେକ କ୍ଷେତ୍ରରେ ନାରୀଟିଏ ଅସୁରକ୍ଷିତ। ପରିବାରରେ ପିତା ମାତା କନ୍ୟାର ସୁରକ୍ଷା ପାଇଁ ଯେତିକି ଚିନ୍ତିତ, ଶିକ୍ଷାନୁଷ୍ଠାନରେ ଶିକ୍ଷକ ଶିକ୍ଷୟତ୍ରୀ ତତ୍ୟୋଧିକ ବିବ୍ରତ। ତେବେ ଏହି ଚିନ୍ତାର ପରିସମାପ୍ତି କିଛି ମାତ୍ରାରେ ହୋଇପାରିବ ଯେତେବେଳେ ବାଳିକାଟିଏ ନିଜେ ନିଜର ସୁରକ୍ଷା କବଚ ସାଜିବ ବୋଲି ସ୍ଥାନୀୟ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଉଦଘାଟିତ ହୋଇଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରରେ ମତପ୍ରକାଶ ପାଇଛି। ଆନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ ଶିବିରକୁ ଉଦଘାଟନ କରିଥିଲେ। ପ୍ରାରମ୍ଭିକ ସୂଚନାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଂଯୋଜିକା ଅଧ୍ୟାପିକା ଅନୀତା ପୂର୍ତ୍ତି ବାଳିକାମାନଙ୍କ ନିମନ୍ତେ ଏଭଳି କୌଶଳ ଶିକ୍ଷା କରିବାର ପ୍ରାସଙ୍ଗିକତା ଥିବାରୁ ଏହାକୁ ଚଳିତ ଶିକ୍ଷାବର୍ଷ ଠାରେ +୨ ସ୍ତରରେ ସଂଯୋଜିତ କରିଥିବାରୁ ଶିକ୍ଷା ବିଭାଗର ଦୂରଦର୍ଶିତାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଏନସିସି ଅଫିସର ତଥା ଗଣିତ ବିଭାଗର ଅଧ୍ୟାପିକା ସୌଦାମିନୀ ରାଉତ୍‌, ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଶିବିରରେ ପ୍ରଶିକ୍ଷିକା ଭାବେ ଯୋଗଦେଇଥିବା ୩ଜଣ ଆତ୍ମରକ୍ଷାର କେତେକ କୌଶଳ ପ୍ରଦର୍ଶନ କରିଥିଲେ। ପ୍ରାୟ ୩ଶହ ଛାତ୍ରୀ ଉକ୍ତ କାର୍ଯ୍ରକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ସହ ସଂଯୋଜିକା ଅଧ୍ୟାପିକା ପ୍ରମିଳା ଜେନା ଛାତ୍ରୀମାନଙ୍କ ସହଯୋଗ, ଏବଂ ଆଜିର ସମୟରେ ପ୍ରତ୍ୟେକ ଛାତ୍ରୀ ଏଭଳି ସୁରକ୍ଷା କୌଶଳର ତାଲିମ ନେବା କେତେ ଆବଶ୍ୟକ, ସେ ସମ୍ପର୍କରେ ମୂଲ୍ୟବାନ ମତ ରଖିଥିଲେ। ମହାବିଦ୍ୟାଳୟସ୍ତରରେ ଏପରି କାର୍ଯ୍ୟକ୍ରମର ଆୟୋଜନ ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି ବୋଲି ଛାତ୍ରୀମାନେ ମତବ୍ୟକ୍ତ କରିଥିଲେ। ଏହି ଶିବିର ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି।