Odiapua.com

ଭଦ୍ରକ ମହାବିଦ୍ୟାଳୟ ସବୁ କ୍ଷେତ୍ରରେ ଅବହେଳିତ, ବିଶ୍ୱବିଦ୍ୟାଳୟ ମାନ୍ୟତା କେବେ!

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ସତର୍କତା ପାଇଁ ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦ ବୈଠକ ଆଜି ପୁଣି ଅନୁଷ୍ଠିତ ହୋଇଛି । ସଂସଦର ନିଜସ୍ୱ ଗୃହରେ ଅନୁଷ୍ଠିତ ବୈଠକରେ ବିଶିଷ୍ଟ ଅଧିବକ୍ତା ନିତ୍ୟାନନ୍ଦ ଦାସ ଅଧ୍ୟକ୍ଷତା କରିଥିଲେ । ପୂର୍ବତନ ସମ୍ପାଦକ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଅଧିବକ୍ତା ଦିବ୍ୟସିଂହ ନାୟକ, ଗତ ସେପ୍ଟେମ୍ବର ମାସରେ କଲେଜର ନତନ ଅଧ୍ୟକ୍ଷ ଦାୟିତ୍ୱ ନେଇଥିବା ଅଧ୍ୟକ୍ଷ ଉମାକାନ୍ତ ସାମଲ ଯୋଗ ଦେଇ ଭଦ୍ରକ ମହାବିଦ୍ୟାଳୟକୁ ଆଗାମୀ ନାକ୍ ଟିମ୍ ଗସ୍ତ ନେଇ ଆଲୋଚନା କରିଥିଲେ । ଏଥି ନିମନ୍ତେ ମହାବିଦ୍ୟାଳୟର ପରିପାଟୀ ସମେତ ଦୀର୍ଘ ଦିନ ଧରି କଲେଜ ବନ୍ଦ ଥିବା କାରଣରୁ କଲେଜର ବହୁବିଧ ସମସ୍ୟା ରହିଥିବା ଅଧ୍ୟକ୍ଷ ଶ୍ରୀଯୁକ୍ତ ସାମଲ ପ୍ରକାଶ କରିଥିଲେ । ପରେ ସଂସଦର ସମ୍ପାଦକ ଅଜୟ ନାୟକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ଉପସ୍ଥାନ ଠାରୁ ଆରମ୍ଭ କରି ଏହାର ଭିତ୍ତିଭୂମି ସବୁକିଛି ବିଶ୍ୱିଦ୍ୟାଳୟ ପାଇଁ ଅନୁକୂଳ ଥିବା ସତ୍ତ୍ୱେ ଏହା ବିଶ୍ୱ ବିଦ୍ୟାଳୟର ମାନ୍ୟତା ନ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ । ମହାବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକାଙ୍କ ଅଭାବ ନେଇ ଅଧ୍ୟକ୍ଷଙ୍କ ଦୃଷ୍ଟି ଅକାର୍ଷଣ କରାଯାଇଥିଲା । ଏହି କଲେଜକୁ ଯେ କେବଳ ବିଶ୍ୱିଦ୍ୟାଳୟର ମାନ୍ୟତା ମିଳି ପାରିନାହିଁ ତାହା ନୁହେଁ, ଏହା ସରକାରୀ ଅବହେଳାର ଏକ ପେଣ୍ଠ ପାଲଟି ଯାଇଛି । ଏହି କଲେଜ ପାଇଁ ସରକାରୀ ଉଦାସୀନତା ଅତ୍ୟନ୍ତ ଅସହ୍ୟ ବୋଲି ମତ ପ୍ରକାଶ ପାଇଥିଲା । ଏହା ଛଡା ମହାବିଦ୍ୟାଳୟର ପୂର୍ଣ୍ଣ ପାଚେରୀ, ଜମି ସମୂହର ପୁନରୁଦ୍ଧାର ଆଦି ବିଷୟରେ ଆଲୋଚନା କରାଯାଇ ପଦକ୍ଷେପ ନେବା ନିମନ୍ତେ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ବୈଠକରେ ପୁରାତନ ଛାତ୍ର ପବନ ଶର୍ମା, ଗୋବର୍ଦ୍ଧନ ସାମଲ, ଲକ୍ଷ୍ମୀକାନ୍ତ ବାରିକ, ଗୋକୁଳାନନ୍ଦ ମହାନ୍ତି, ବସନ୍ତ କୁମାର ମହାନ୍ତି, ଦୁର୍ଗା ଶଙ୍କର ଦାସ, ହରମୋହନ ଜେନା, ମନୋଜ କୁମାର ସାହୁ, ସଂଗ୍ରାମ କେଶରୀ ମହାନ୍ତି, ରୂପକ ବିହାରୀ ରାୟ, ଡ. ହରିହର ନାୟକ, ଅମରେନ୍ଦ୍ର ବିଶ୍ୱାଳ, ଗଦାଧର ବଳ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ପୁରାତନ ଛାତ୍ର ସଂସଦର ବୈଠକକୁ ନବ ନିଯୁକ୍ତ ଅଧ୍ୟକ୍ଷ ପ୍ରଥମ କରି ଆସିଥିବାରୁ ସଂସଦ ପକ୍ଷରୁ ଅମରେନ୍ଦ୍ର ବିଶ୍ୱାଳ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।