Odiapua.com

ଭଦ୍ରକ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ହେଲେ ଡକ୍ଟର ସୁବୋଧ ମିଶ୍ର

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିଠାରୁ ଡ. ସୁବୋଧ ଚନ୍ଦ୍ର ମିଶ୍ର ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାର ଗ୍ରହଣ କରିଛନ୍ତି। ମାର୍ଚ୍ଚ ୩୧ ତାରିଖରେ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ. ଉମାକାନ୍ତ ସାମଲଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା। ପ୍ରଫେସର ସାମଲ ଚାକିରିରୁ ଅବସର ଗ୍ରହଣ କରିବା ଅବସରରେ କଲେଜ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ଡକ୍ଟର ମିଶ୍ର ତାଙ୍କଠାରୁ ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଡ. ମିଶ୍ର ୧୯୯୨ ମସିହାରେ ଓଡ଼ିଶା ଶିକ୍ଷା ସେବାରେ ଯୋଗଦେଇଥିଲେ। ପ୍ରଥମେ ସମ୍ବଲପୁର ଜି. ଏମ୍‌. ମହାବିଦ୍ୟାଳୟ ଓ ତା’ପରେ କୋରାପୁଟ ସରକାରୀ ମହାବିଦ୍ୟାଳୟରେ ଶିକ୍ଷାଦାନ କରିବା ପରେ ବର୍ତ୍ତମାନ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ସହଯୋଗୀ ପ୍ରଫେସର ତଥା ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ଓଡ଼ିଶାର ଶିକ୍ଷାର ପ୍ରାଣକେନ୍ଦ୍ର ତଥା ସର୍ବବୃହତ୍ ମହାବିଦ୍ୟାଳୟ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ସେ ନିଜ ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଓ ବିଦ୍ୟାର୍ଥୀଙ୍କ ବ୍ୟକ୍ତିତ୍ୱର ବିକାଶକୁ ପ୍ରାଥମିକତା ଦେବା ପାଇଁ କହିଛନ୍ତି। କଲେଜରେ ବିଭିନ୍ନ ବିଭାଗରେ ଶିକ୍ଷକ ନିଯୁକ୍ତି ଦିଗରେ ବିହିତ ପଦକ୍ଷେପ ନିଆଯିବା ସହିତ ସବୁ ପ୍ରକାର ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ ସେ ସରକାର ତଥା ଭଦ୍ରକ ପ୍ରଶାସନ ଓ ବୁଦ୍ଧିଜୀବୀମାନଙ୍କର ସହଯୋଗ କାମନା କରିଛନ୍ତି। ଏଇ ଅବସରରେ ମହାବିଦ୍ୟାଳୟର ଅଧ୍ୟାପକବୃନ୍ଦ ଓ କର୍ମଚାରୀ ସଂଘ ନୂତନ ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି।