Odiapua.com

ଭଦ୍ରକ ବ୍ଲକ୍ ସମ୍ମୁଖରେ ମହିଳା ମହାସଂଘର ଧାରଣା

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ବନ୍ଧଗାଁ ଗ୍ରାମପଞ୍ଚାୟତର ରାମେଶ୍ୱର ମହିଳା ମହାସଂଘର ସଭାନେତ୍ରୀ, ସଂପାଦିକାଙ୍କ ମନୋମୁଖୀ କାର୍ଯ୍ୟ ବିରୁଦ୍ଧରେ ୬ ଦଫା ଦାବି ନେଇ ସ୍ଥାନୀୟ ଜଗାକାଳିଆ ଆଞ୍ଚଳିକ ମହିଳା ମଂଚ ପକ୍ଷରୁ ଗଣଧାରଣା ଦିଆଯାଇଛି। ଦୀର୍ଘବର୍ଷ ଧରି ବାବା ରାମେଶ୍ୱର ମହାସଂଘର ସଭାପତି ମିନତୀ ବାରିକ, ସଂପାଦିକା ଚଂଚଳା ରାଉତ ମନମୁଖୀ କାର୍ଯ୍ୟ କରିବା ସହ ମହାସଂଘର ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ଓ ଆର୍ଥିକ ଅନିୟମିତତା ନେଇ ଜଗାକାଳିଆ ମହିଳା ମଂଚ ପକ୍ଷରୁ ଅଭିଯୋଗ କରି ଏହି ଗଣଧାରଣା ଦିଆଯାଇଥିଲା। ଏହି ଅଭିଯୋଗ ନେଇ ବାରମ୍ବାର ସେମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପିଡିଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ସଂପୃକ୍ତ ସଭାପତି ଓ ସଂପାଦିକାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ନେଇ କହିଛନ୍ତି ମଂଚର ବହୁ ସଭ୍ୟା। ତେବେ ଏହି ଦାବି ମଧ୍ୟରୁ ସମୟସୀମା ପୂରିବା ପରେ ଦୀର୍ଘ ୮ ବର୍ଷ ଧରି ସଭାପତି ଓ ସଂପାଦିକା ପଦରେ ରହିବା, ମହାସଂଘର ଆୟ ଓ ବ୍ୟୟର ହିସାବ ନଦେବା, ମହାସଂଘର କୋଷାଧ୍ୟକ୍ଷଙ୍କୁ ଆର୍ଥିକ ନେଣଦେଣ ବାବଦରେ ନଜଣାଇବା ଭଳି ଅଭିଯୋଗ କରିଛି ଏହି ମହିଳା ମଂଚ। ଏଣୁ ତୁରନ୍ତ ବାବା ରାମେଶ୍ୱର ମହାସଂଘର ଉଭୟ ସଭାପତି ଓ ସଂପାଦିକାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ସହ ନୂତନ ସଭାପତି ଓ ସଂପାଦିକା ପଦବୀ ପାଇଁ ଦାବି କରିଛି ଏହି ମଂଚ। ଏଠାରେ ସୂଚନାଯୋଗ୍ୟ ଗତ ୮ ତାରିଖ ଦିନ ଏହି ମହାସଂଘ ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ସେତେବେଳେ ପ୍ରଶାସନିକ ପ୍ରତିଶ୍ରୁତି ପରେ ସେମାନେ ଧାରଣାରୁ ଓହରିଥିଲେ। କିନ୍ତୁ ଦୀର୍ଘ ୧୪ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେମାନେ ଆଜି ପୁନର୍ବାର ଗଣଧାରଣାରେ ବସିଥିଲେ। ଏବଂ ଯେପର୍ଯ୍ୟନ୍ତ ଉପରୋକ୍ତ ଦାବି ପୂରଣ ନହୋଇଛି, ସେ ପର୍ଯ୍ୟନ୍ତ ସେମାନଙ୍କ ଧାରଣା ଜାରି ରହିବ ବୋଲି ମହିଳା ମଂଚ ପକ୍ଷରୁ ଅଂଜନା ସେଠୀ, ସାବିତ୍ରୀ ନାୟକ, ସବିତା ସେଠୀ, ଅର୍ଣ୍ଣପୂର୍ଣ୍ଣା ଜେନା, ସତ୍ୟଭାମା ସେଠୀ, ରଶ୍ମିରେଖା ନାୟକ, ରଶ୍ମିତା ନାୟକ, ମମତା ଗାହାଣ ପ୍ରମୁଖ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପକ୍ଷରେ ବିଡିଓ ଦାମୋଦର ଖୁଣ୍ଟିଆଙ୍କୁ ଏ ସଂପର୍କରେ ପଚାରିବାରୁ କୋଭିଡ୍ -୧୯ ସମୟରେ ମିଟିଂ କରିବା ସମ୍ଭବ ହେଉନାହିଁ। ତେଣୁ ଏହି ସମସ୍ୟା ସଂପର୍କରେ ସେ ଚିଠି କରିଛନ୍ତି। ଖୁବ୍ ଶୀଘ୍ର ସମାଧାନ ହୋଇଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।