Odiapua.com

ଭଦ୍ରକ ବ୍ଲକ୍ କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଭଦ୍ରକ ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଏବଂ ଭଦ୍ରକ ଏସ୍‌.ପି. ବରୁଣ ଗୁଂଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୭୩ ଟି ଅଭିଯୋଗ ଶୁଣିଥିଲେ। ସେଗୁଡ଼ିକ ମଧ୍ୟରେ ୬୧ ଟି ବ୍ୟକ୍ତିଗତ ଓ ୧୨ଟି ସାମୂହିକ ସମସ୍ୟା ସମ୍ବଳିତ ଅଭିଯୋଗ ଥିଲା। ୨ଟି ଅଭିଯୋଗ ତତ୍କାଳ ସମାଧାନ କରାଯାଇଥିଲା ଏବଂ ରେଡ଼କ୍ରସ ବାବଦରେ ୫ ଜଣ ଆବେଦନକାରୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ ବାବଦକୁ ସମୁଦାୟ ୨୭ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ଜିଲ୍ଲା ରେଡ଼କ୍ରସ୍ ପାଣ୍ଠିରୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ବାବଦକୁ ପଲ୍ଲି, କାଦବରାଙ୍ଗ, ଭଦ୍ରକବ୍ଲକ୍ ର ସୌମ୍ୟରଞ୍ଜନ ସାହୁଙ୍କୁ ଦଶ ହଜାର ଟଙ୍କା, ନରିପୁର, ବନ୍ତର ଜୟକୃଷ୍ଣ ସାହୁଙ୍କୁ ଦୁଇ ହଜାର ଟଙ୍କା, ଚୁନିଦା, ଭଦ୍ରକ ବ୍ଲକ୍‌ର ନଟବର ଜେନାଙ୍କୁ ୫ ହଜାର ଟଙ୍କା, ରଘୁନାଥପୁର, ଦେବେନ୍ଦ୍ର ମହାନ୍ତିଙ୍କ୍‌ୁ ୭ ହଜାର ଟଙ୍କା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ମଞ୍ଜୁର କରିଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ମନୋଜ ପାତ୍ର, ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଭାରପ୍ରାପ୍ତ ସି.ଡ଼ି.ଏମ୍‌.ଓ. ଡା. ସୁଧୀର ରଞ୍ଜନ ନାୟକ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଅଭିଯୋଗ ଶୁଣିବା କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ଜିଲ୍ଲା ସ୍ତରୀୟ ଓ ଉକ୍ତ ବ୍ଲକ୍ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଜନାଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ଆବଶ୍ୟକ ମତେ ତଥ୍ୟ ଉପସ୍ଥାପନ କରିଥିଲେ। ବାର୍ଦ୍ଧକ୍ୟ ଭତା, ଦିବ୍ୟାଙ୍ଗ ଭତା, ଜମି ଚିହ୍ନଟ, ଜମି ଜବର ଦଖଲ, ଜମି ଉଚ୍ଛେଦ, ବେନିୟମ ବାଲି ଚାଲାଣ, ପରିବାର ମଙ୍ଗଳ ଯୋଜନା ଆଦି ଭଳି ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗ ସବୁର ନିୟମାନୁଯାୟୀ ଧାର୍ଯ୍ୟ ସମୟ ମଧ୍ୟରେ ସମାଧାନ ପାଇଁ ଜିଲ୍ଲାପାଳ ଉପସ୍ଥିତ ସଂପୃକ୍ତ ଅଧିକାରୀ ମାନଙ୍କ୍‌ୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।