Odiapua.com

ଭଦ୍ରକ ବ୍ଲକ୍‌ରେ ମିଳିତ ଜନ ଶୁଣାଣି ଶିବିର

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତ୍ୟେକ ସୋମବାରରେ ଅନୁଷ୍ଠିତ ହେଉଥିବା ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଆଜି ଭଦ୍ରକ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୩୬ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୩୨ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଓ ୪ଟି ସାମୂହିକ ସମସ୍ୟା ଆଧାରିତ ଅଭିଯୋଗ ଥିଲା । ସି.ଏମ୍‌.ଆର୍‌.ଏଫ୍‌.ରୁ ଚିକିତ୍ସା ସହାୟତା ବାବଦ ୧୨ ହଜାର ଟଙ୍କା ଜଣେ ଆବେଦନ କାରୀକୁ ଆର.ଟି..ଜି.ଏସ୍‌. ଜରିଆରେ ଜିଲ୍ଲାପାଳ ପ୍ରଦାନ କରିଥିଲେ । ମଠସାହିର କୁନି ଜେନାଙ୍କ ପୁଅ ସଞ୍ଜୟ ଜେନାର ମେରୁଦଣ୍ଡ ଜନିତ ସ୍ନାୟବିକ ଚିକିତ୍ସା ନିମନ୍ତେ ଏହି ଅର୍ଥ ପ୍ରଦାନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର, ଏ.ସି.ଡ଼ି.ଓ. ଜିଲ୍ଲାପରିଷଦ କୁଶଳ ଚନ୍ଦ୍ର ନାଏକ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ବି.ଡ଼ି.ଓ. ସୀତାକାନ୍ତ ରାଉତ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲା ଓ ଉକ୍ତ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଶୁଣାଣି କାର୍ଯ୍ୟରେ ଅଭିଯୋଗ ସମାଧାନ ଦିଗରେ ଆବଶ୍ୟକ ମତେ ସୂଚନା ପ୍ରଦାନ କରିଥିଲେ । ସାଳନ୍ଦୀ ଇରିଗେସନ୍‌, ଆର୍‌.ଡ଼ି.-୧, ଶିକ୍ଷା, ସ୍ୱାସ୍ଥ୍ୟ, ଡ଼୍ରେନେଜ୍ ସାମାଜିକ ସୁରକ୍ଷା, ପୋଲିସ ଆଦି ବିଭିନ୍ନ ବିଭାଗ ସଂପୃକ୍ତ ବିଷୟ ନେଇ ଅଭିଯୋଗ ଆଗତ ହୋଇଥିଲା ।