Odiapua.com

ଭଦ୍ରକ ବ୍ଲକର ତ୍ରୟୋଦଶ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପଞ୍ଚାୟତ ସମିତିର ଅଧ୍ୟକ୍ଷ ରଘୁନାଥ ଧଳଙ୍କ ପୌରହିତ୍ୟରେ ଜିଲ୍ଲା ସଂସ୍କୃତି ଭବନରେ ଆଜି ଭଦ୍ରକ ବ୍ଲକର ତ୍ରୟୋଦଶ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଲୋକସଭା ସଦସ୍ୟା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଅତିଥି ଭାବରେ ଏହି ବୈଠକରେ ଯୋଗ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ବେହେରାଙ୍କ ପରିଚାଳନାରେ ଆୟୋଜିତ ଏହି ବୈଠକରେ ଅନ୍ୟତମ ଅତିଥିଭାବେ ବ୍ଲକର ଉପାଧ୍ୟକ୍ଷା ଜ୍ୟୋତ୍ସ୍ନାମଞ୍ଜରୀ ରାଉତ, ଭଦ୍ରକ ପଞ୍ଚାୟତ ସମିତି ଅନ୍ତର୍ଗତ ୩ଟି ଜିଲ୍ଲା ପରିଷଦର ସଦସ୍ୟ କ୍ଷୀରୋଦ ରାଉତ, ସରୋଜ ନାୟକ ଏବଂ ସୁକାନ୍ତୀ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସଂପ୍ରଶାରଣ ଅଧିକାରୀ ଅଜୟ କୁମାର ଦାସଙ୍କ ଦ୍ୱାରା ଗତ ୨୯.୦୬.୨୦୨୧ ରେ ଆଭାଷି ଜରିଆରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ସମିତିର ଦ୍ୱାଦଶ ଅଧିବେଶନର ବିବରଣୀ ଉପସ୍ଥାପନ କ୍ରମେ ତାହା ବୈଠକରେ ଅନୁମୋଦନ ଲାଭ କରିଥିଲା । ବିଶେଷକରି ଏହି ବୈଠକ ସମିତିର ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଅନ୍ତିମ ବୈଠକ ହୋଇଥିବାରୁ ଏଥିରେ ଅତିଥି ଓ ସଦସ୍ୟ ମାନଙ୍କର ବକ୍ତବ୍ୟରେ ଭାବପ୍ରବଣତା ପ୍ରକାଶ ପାଇଥିଲା । ବୈଠକରେ ଉପସ୍ଥିତ ସରପଞ୍ଚ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କର ଅକୁଣ୍ଠ ସହଯୋଗ ପାଇଁ ବିଧାୟକ ସମସ୍ତଙ୍କୁ ପ୍ରସଂଶା କରିବା ସହିତ ଆଗାମୀ ଦିନରେ ପଦପଦବୀରେ ରୁହନ୍ତୁ ବା ନରୁହନ୍ତୁ ଲୋକଙ୍କ ସେବାରୁ ବିରତ ନହେବା ପାଇଁ ପରାମର୍ଶ ଦେଇଥିଲେ । ସରପଞ୍ଚ ଓଲଙ୍ଗର ଦେବୀଦତ୍ତା ମହାନ୍ତି, ବହୁଦରଡ଼ାର ମୁକୁନ୍ଦଦେବ ସାମଲ, କେଦାରପୁରର ଭରତ ତ୍ରିପାଠୀ, ଖଣ୍ଡତଡ଼ାର ବିଶ୍ୱନାଥ ନାୟକ, ଗେଲଟୁଆର ସରୋଜ କୁମାର ଦାସ, ସାବରଙ୍ଗର ରଞ୍ଜିତା ନାୟକ ଏବଂ ପଞ୍ଚାୟତ ସମିତି ସଦସ୍ୟ ଗେଲପୁରର ଅଶୋକ ପରିଜା, ଚରମ୍ପାର ରମେଶ ମଲ୍ଲିକ, ପରସିଙ୍ଗାର ଦେବଶ୍ମିତା ମହାନ୍ତି, ବନ୍ଧଗାଁର ଚନ୍ଦ୍ରକାନ୍ତ ମହାପାତ୍ର ପ୍ରମୁଖ ନିଜସ୍ୱ ଅନୁଭୂତି ସହ ବକ୍ତବ୍ୟ ରଖିଥିଲେ । ଶେଷରେ ବିଧାୟକ ଗତ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବିଭିନ୍ନ ସହାୟତା ପ୍ରଦାନ ବାବଦରେ ସୂଚନା ଦେବା ପରିପ୍ରେକ୍ଷୀରେ କହିଥିଲେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଥିବା ସମୁଦାୟ ୨୦,୯୪୩ ଜଣ ବିଜୁ ପକ୍କାଘର ହିତାଧିକାରୀଙ୍କୁ ଘର ମରାମତି ଓ ରଙ୍ଗ ପାଇଁ ଘରପିଛା ୩,୦୦୦/- ଟଙ୍କା, ଗୃହ ନିର୍ମାଣ ସହାୟତା ପାଇବା ପାଇଁ ଚିହ୍ନିତ ଯୋଗ୍ୟ ପରିବାର ପିଛା ୫,୦୦୦/- ଟଙ୍କା ଏବଂ ୪୬,୨୪୪ ଜଣ ରାସନ୍ କାର୍ଡଧାରୀ ମାନଙ୍କୁ ୧,୦୦୦/- ଲେଖାଏଁ ଟଙ୍କା ଏକାଉଁଟ ଜରିଆରେ ପ୍ରଦାନ କରାଯିବ ।