Odiapua.com

ଭଦ୍ରକ ବ୍ଲକରେ ବ୍ୟାପକ ଦୁର୍ନୀତି : ବିଡିଓଙ୍କୁ ଅଭିଯୋଗ କଲା ଜିଲ୍ଲା କଂଗ୍ରେସର ପ୍ରତିନିଧି ଦଳ

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ସବୁ ପଞ୍ଚାୟତରେ ଖୁଲମଖୁଲ୍ଲା ଲୁଟ ଜାରି ରହିଛି । ମନରେଗା କାମ ହେଉ କି ରାସନ କାର୍ଡ ପ୍ରସ୍ତୁତିରେ ବିଜେଡି ନେତାଙ୍କ ହାତବାରିସୀ ସାଜି ବ୍ଳକ ଅଧିକାରୀମାନେ ସିଧାସଳଖ ଦଳୀୟ ଭିତ୍ତିରେ କାମ କରୁଛନ୍ତି । ଶ୍ରମିକ ବଦଳରେ ମେସିନ ଦ୍ୱାରା କାମ କରାଇ ମିଥ୍ୟା ମଷ୍ଟରରୁଲ କରି ଅର୍ଥ ଲୁଟ କରୁଛନ୍ତି । ଯାହାର ସଦ୍ୟତମ ଉଦାହାରଣ ବହୁଦରଡା ପଞ୍ଚାୟତରେ ଦେଖିବାକୁ ମିଳିଛି । ସେହିପରି ରାସନ କାର୍ଡ ଯୋଗାଣ କ୍ଷେତ୍ରରେ ବାସ୍ତବିକ ଭାବେ ଯେଉଁମାନେ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ସେମାନଙ୍କୁ ବାଦ ଦେଇ କୋଠାଘର ଥିବା ଦଳୀୟ କର୍ମୀଙ୍କୁ ରାସନ କାର୍ଡ ଯୋଗାଣର ବନ୍ଦୋବସ୍ତ କରାଯାଉଛି । ଏହି କାର୍ଯ୍ୟରେ ଗାଁ ନେତା ଠାରୁ ଆରମ୍ଭ କରି ବିଧାୟକ ସାଂସଦ ପର୍ଯ୍ୟନ୍ତ ଜଡିତ ଅଛନ୍ତି । ଏପରି ବ୍ଲକ କାର୍ଯ୍ୟାଳୟକୁ ବିଧାୟକ ତାଙ୍କ ସମର୍ଥକଙ୍କ ତାଲିକା ପଠାଇ ରାସନ କାର୍ଡ ପ୍ରସ୍ତୁତ କରିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଏହି ଦୁର୍ନୀତି ଓ ହରିଲୁଟରେ ବ୍ଲକ କାର୍ଯ୍ୟାଳୟର ଅଧିକାରୀ ଠାରୁ କର୍ମଚାରୀ ଲିପ୍ତ ଅଛନ୍ତି । ଏ ସବୁକୁ ବିରୋଧ କରି ଆଜି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ଭଦ୍ରକ ବିଡିଓଙ୍କୁ ଭେଟି ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଦୁର୍ନୀତିର ତଦନ୍ତ କରାଯିବା ସହ ପ୍ରକୃତ ଉପଯୁକ୍ତ ହିତାଧିକାରୀ ଚୟନ କରି ରାସନ କାର୍ଡ ଯୋଗାଇବାକୁ ଦାବି କରିଛନ୍ତି । ଏହି ପ୍ରତିନିଧି ଦଳରେ ବ୍ଳକ କଂଗ୍ରେସ ସଭାପତି ଆଇନଜିବି ପ୍ରଫୁଲ୍ଳ ସାମଲ, ପୀତବାସ ଧଳ, ଗୋପାଳ ଚନ୍ଦ୍ର ତ୍ରିପାଠି, ପୂର୍ବତନ ସରପଞ୍ଚ ଅନନ୍ତ ଚରଣ ପଣ୍ଡା, ଗଙ୍ଗାଧର ଜେନା, ରଞ୍ଜିତ ଦାସ, ବିଜୟ ବାରିକ ପ୍ରମୁଖ ଯୋଗ ଦେଇ ଅଭିଯୋଗପତ୍ର ପ୍ରଦାନ କରିଥିଲେ ।