Odiapua.com

ଭଦ୍ରକ : ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ହୋଲି ଉତ୍ସବ ପାଳିତ

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ କରୋନା କଟକଣା ମଧ୍ୟରେ ପବିତ୍ର ହୋଲି ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ବିଶେଷକରି ବଳଭଦ୍ରପୁର, କୁଆଁସ, ସାହାପୁର, ସନ୍ଥିଆ-ନୀଳକଣ୍ଠପୁର, କାଉପୁର, ରାନ୍ଦିଆ, ବାଗୁରାଇ, ଚରମ୍ପା, ଅର୍ଣ୍ଣପାଳ ସମେତ ୭ଟି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ବିମାନରେ ସଜ୍ଜିତ ହୋଇ ସ୍ଥାନୀୟ ଅଂଚଳ ପରିଭ୍ରମଣ କରିଥିଲା । ସମସ୍ତ ଶ୍ରଦ୍ଧାଳୁମାନେ ଏଥର ରଙ୍ଗ ପରିବର୍ତ୍ତେ ଅଭିରକୁ କରୋନା କଟକଣା ପାଇଁ ପ୍ରାଧାନ୍ୟ ଦେଇଥିଲେ । ଭଦ୍ରକ କଲେଇ ପଂଚାୟତର ବଳଭଦ୍ରପୁରସ୍ଥିତ ରାଧାମାଧବଙ୍କ ଏହି ଦୋଳ ମେଳଣ ବେଶ୍ ଚିତ୍ତାକର୍ଷକ ହୋଇଥିଲା । ଅନୁରୂପ ସହରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଭଦ୍ରକ ଶାଖା ପକ୍ଷରୁ ଏହି ଉତ୍ସବ ବେଶ୍ ଶୃଙ୍ଖଳାର ସହ ସମାପନ ହୋଇଛି । ସଂଘର କାର୍ଯ୍ୟକର୍ତ୍ତା ଓ ସ୍ୱୟଂ ସେବକମାନେ ପରସ୍ପରକୁ ଅଭିର ବୋଳି ଶୁଭେଚ୍ଛା ଜଣାଇଥିଲେ । ସେହିଭଳି କୁଆଁସସ୍ଥିତ ସାଧନାପୀଠରେ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଓ ବହୁ ବୁଦ୍ଧିଜୀବୀ ଏହି ହୋଲି ଉତ୍ସବକୁ ନିରାଡମ୍ବର ସହ ମନାଇଥିଲେ । ଏଥିରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ଡାକ୍ତର ପ୍ରଦୀପ ନାୟକ, ଅଶୋକ ପରିଜାଙ୍କ ସମେତ ବିଜେପିର ବହୁ ଦଳୀୟ କର୍ମକର୍ତ୍ତା ଅଂଶଗ୍ରହଣ କରି ପରସ୍ପରକୁ ହୋଲିର ବଧେଇ ଜଣାଇଥିଲେ । ସେହିଭଳି ବିଶିଷ୍ଟ ସମାଜସେବୀ ଅଶୋକ ମହାନ୍ତିଙ୍କ ନୂଆବଜାରସ୍ଥିତ କାର୍ଯ୍ୟାଳୟରେ ବହୁ ଯୁବବର୍ଗ ଉପସ୍ଥିତ ରହି ଶ୍ରୀ ମହାନ୍ତିଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି ।