Odiapua.com

ଭଦ୍ରକ ବିଜେପି କାର୍ଯ୍ୟାଳୟରେ ଶହ ଶହ କର୍ମୀଙ୍କ ଯୋଗଦାନ, ବିଭିନ୍ନ ଦଳ ଛାଡ଼ି ବିଜେପିରେ ସାମିଲ

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) ଜିଲ୍ଲା କାର୍ଯ୍ୟାଳୟରେ ରବିବାର ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କୋଡ଼ବରୁଆଁ ପଂଚାୟତର ଅନେକ ପୂର୍ବତନ ନେତୃତ୍ୱ, ୱାର୍ଡ ମେମ୍ବର ଓ କର୍ମୀ, ବିଜେଡ଼ି ଏବଂ କଂଗ୍ରେସ ଦଳ ତ୍ୟାଗ କରି ଶହ ଶହ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସେବା, ସୁଶାସନ ଓ ବିକାଶର ନୀତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶମୂଳକ ପଦକ୍ଷେପରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ନବଯୋଗଦାନକାରୀମାନଙ୍କୁ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଶିତାଶୁ ଶେଖର ମହାପାତ୍ର, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ବିଜେପିର ବେନର ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରମୁଖ ବୃନ୍ଦାବନ ପେଡା, ତପସ୍ୱିନୀ ମହାପାତ୍ର, ଅଜୟ ନାୟକ, ଲକ୍ଷ୍ମଣ ନାୟକଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଓ କର୍ମୀ ଉପସ୍ଥିତ ଥିଲେ। ବକ୍ତାମାନେ କହିଥିଲେ ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ଏବଂ ବିଜେପିର ସଂଗଠନ ପ୍ରତି ଆସ୍ଥା ପ୍ରକାଶ କରି ବହୁ ସଂଖ୍ୟକ ଲୋକ ଦଳରେ ଯୋଗଦାନ କରୁଛନ୍ତି। ଆଗାମୀ ଦିନରେ ଜିଲ୍ଲାରେ ଦଳକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଥିଲେ।