Odiapua.com

ଭଦ୍ରକ : ବିଜେପିର ସାମ୍ବାଦିକ ସମ୍ମିଳନୀ , ବେଆଇନ୍ ଗୋ-ଚାଲାଣ ଓ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ନେଇ ଏସ୍‌ପିଙ୍କୁ ଦାବିପତ୍ର

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ବୃଦ୍ଧି ପାଉଥିବା ବେଆଇନ୍ ଗୋ-ଚାଲାଣ ଓ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳାକୁ ନେଇ ଆଜି ଭଦ୍ରକ ଜିଲା ବିଜେପିର ଏକ ଉଚ୍ଚପଦସ୍ଥ ପଦାଧିକାରୀ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏବଂ ଏ ସଂପର୍କରେ ଜିଲା ବିଜେପି କାର୍ଯ୍ୟାଳୟରେ ଆଜି ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ଦାବିପତ୍ର ସଂପର୍କରେ ଗଣମାଧ୍ୟମକୁ ସବିଶେଷ ସୂଚନା ପ୍ରଦାନ କରାଯାଇଛି । ଶ୍ରୀ ସେଠୀଙ୍କ ସୂଚନା ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଦିଆଯାଇଥିବା ଦାବିପତ୍ର ମୂଳେ ରାଜ୍ୟରେ ଭଦ୍ରକ ଏକ ସମ୍ବେଦନଶୀଳ ଜିଲା ଭାବେ ପରିଗଣିତ ହେଉଥିବାବେଳେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡୁଛି । ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ନିଆଯାଉନାହିଁ । ଫଳରେ ଅସାମାଜିକ ତତ୍ତ୍ୱ ଓ ଗୋ-ଦଲାଲମାନେ ସକ୍ରୀୟ ହୋଇ ବିଭିନ୍ନ ସମୟରେ ଅପ୍ରିତିକର ଘଟଣା ଘଟାଇଚାଲିଛନ୍ତି । ବିଶେଷ ଭାବରେ ଭଦ୍ରକର ବିଭିନ୍ନ ସ୍ଥାନରୁ ବେଆଇନ୍ ଗୋଚାଲାଣ ହେଉଥିବାବେଳେ ସଂପୃକ୍ତ ଅଂଚଳର ଥାନାଧିକାରୀଙ୍କ ନିଷ୍କ୍ରିୟତା କାରଣରୁ ଗୋ ତସ୍କରମାନେ ସାହାସର ସହ ବେଆଇନ୍ କାର୍ଯ୍ୟ କରିଚାଲୁଛନ୍ତି । ପରିଣାମ ସ୍ୱରୂପ ଅନେକ ସମୟରେ ଗୋ-ଚାଲାଣକାରୀ ଓ ଗୋରକ୍ଷକମାନଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହେଉଛି । ଏ ଦିଗରେ ସ୍ଥାନୀୟ ପୁଲିସ୍ ପ୍ରଶାସନ ନୀରବ ରହିବା ଓ ଗୋ ରକ୍ଷକଙ୍କୁ ସହଯୋଗ କରୁନଥିବା କାରଣରୁ ପରିସ୍ଥିତି ବେଳେବେଳେ ଜଟିଳ ରୂପ ଧାରଣ କରୁଛି । ଏବଂ ପୁଲିସ୍‌ର ଅସହଯୋଗରୁ ଗୋ-ତସ୍କରୀ କରୁଥିବା ଅସାମାଜିକ ବ୍ୟକ୍ତିମାନେ ଖସିଯାଉଛନ୍ତି । ବିଶେଷକରି ୧୯୬୦ ମସିହା ଠାରୁ ଓଡ଼ିଶାରେ ଗୋ ହତ୍ୟା ନିରୋଧ ଆଇନ୍ (ଜୀବ ପ୍ରତି ନିଷ୍ଠୁରତା) ବିଧାନସଭାରେ ପାରିତ ହୋଇଛି ।

ଏଥିସହ ୨୦୧୧ ମସିହାରେ ଓଡ଼ିଶାରେ ଗୋ ଚାଲାଣ ଏକ ବେଆଇନ୍ କାର୍ଯ୍ୟ ବୋଲି ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିବା ସହ ଭଦ୍ରକ ସମେତ ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂପୁର, ଯାଜପୁର, ବଲାଙ୍ଗୀର ଓ ସମ୍ବଲପୁର ଭଳି ଜିଲାର ଆରକ୍ଷୀ ଅଧିକ୍ଷକଙ୍କୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଣୁ ଭଦ୍ରକ ଜିଲାର ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଗୋଚାଲାଣର ପେଣ୍ଠସ୍ଥଳୀ ଉପରେ ଚଢାଉ କରିବା ସହ ବେଆଇନ୍ ଗୋଚାଲାଣରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସେଠୀଙ୍କ ସମେତ ବିଜେପିର ଉଚ୍ଚପଦସ୍ଥ ପଦାଧିକାରୀ , ପ୍ରତିନିଧି ମଣ୍ଡଳ ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଏ ଦିଗରେ ସେ ସେମାନଙ୍କ ଠାରୁ ନିର୍ଦ୍ଦିଷ୍ଟ ସୂଚନା ପାଇଲେ ତ୍ୱରିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀଙ୍କ ସମେତ ଜିଲା ସଭାପତି ହେମନ୍ତ ପାଢୀ, ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ, ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରୀ ନାରାୟଣ ଧଳ, ଜିଲା ଯୁବ ସଭାପତି ବିକାଶ ଶ୍ରେଷ୍ଠା ଓ ଶଶାଙ୍କ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।